ରାଜ୍ୟରେ ଖୋଲିଲା ପ୍ରାଥମିକ ସ୍କୁଲ : ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠ ପଢା ଆରମ୍ଭ
ଭୁବନେଶ୍ୱର : ରାଜ୍ୟରେ ଖୋଲିଲା ପ୍ରାଥମିକ ସ୍କୁଲ । ପ୍ରଥମେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠ ପଢା ଆରମ୍ଭ ହୋଇଛି । ନବମ, ଦଶମ ପରେ ଆଜିଠୁ ଖୋଲୁଛି ଅଷ୍ଟମ ଶ୍ରେଣୀ । ଅନଲାଇନ ବଦଳରେ ଏଣିକି ଶ୍ରେଣୀ ଗୃହରେ ବସି ପାଠ ପଢିବେ ଛାତ୍ରଛାତ୍ରୀ । ସ୍କୁଲକୁ ପରିଷ୍କାର ପରିଚ୍ଛନ କରାଯିବା ସହ ବିଶୋଧନ କରାଯାଇଛି । ସେହିପରି ସ୍କୁଲରେ ଅଷ୍ଟମ ପିଲାଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ। କେବଳ ସେତିକି ନୁହେଁ ବସିବା ସ୍ଥାନ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ଦୂରତା ରଖିବା,ସ୍କୁଲରେ ଆଇସୋଲେସନ ରୁମ ମଧ୍ୟ ଖୋଲାଯାଇଛି ।
ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିଛି । ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ରହିଛି । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ । ପ୍ରଥମ ଦୁଇ ଦିନ ଅର୍ଥାତ୍ ଆଜି ଓ ଆସନ୍ତାକାଲି ପିଲାମାନଙ୍କ ମଧ୍ୟରେ ହସଖୁସି ଚାଲିବ । ପିଲାମାନେ ଅଧିକ ଦିନ ଘରେ ରହି ଯାଇଥିବାରୁ ସେମାନଙ୍କୁ ପୁଣି ସ୍କୁଲ ପରିବେଶ ସହ ଖାପ ଖୁଆଇବା ପାଇଁ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଂଗୀତଗାନ, ଚିତ୍ରାଙ୍କନ ଆଦି କରାଯିବ । ୧୮ ମାସ ପରେ କ୍ଲାସରୁମ୍ ଶିକ୍ଷା ଆରମ୍ଭ ହେଉଥିବାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସପ୍ତମ ଶ୍ରେଣୀର ସହଜ ବିଷୟବସ୍ତୁ ପ୍ରଥମ ପଢାଯିବ।
