ନିର୍ବାଚନ ଫଳାଫଳ କଂଗ୍ରେସ ପାର୍ଟିର ଆଶାରୁ ସମ୍ପୂର୍ଣ୍ଣ ବିପରୀତ : ସୁରଜେବାଲା
ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ କଂଗ୍ରେସ ପକ୍ଷରୁ ପ୍ରେସ କନଫାରେନ୍ସ କରାଯାଇଛି । ଏହି ସମୟରେ ପାର୍ଟି ପ୍ରବକ୍ତା ରଣଦୀପ ସିଂହ ସୁରଜେବାଲା ବଡ଼ ବୟାନ ଦେଇଛନ୍ତି । ସୁରଜେବାଲା କହିଛନ୍ତି ଯେ, ୫ ରାଜ୍ୟର ନିର୍ବାଚନ ଫଳାଫଳ କଂଗ୍ରେସ ପାର୍ଟିର ଆଶାରୁ ସମ୍ପୂର୍ଣ୍ଣ ବିପରୀତ । ଲୋକଙ୍କ ଆଶୀର୍ବାଦ ପାଇବାରେ ଆମେ ବିଫଳ ରହିଲୁ ବୋଲି ସ୍ୱୀକାର କରୁଛୁ । ଫଳାଫଳକୁ ଆତ୍ମନିରୀକ୍ଷଣ କରିବା ପାଇଁ ସୋନିଆ ଗାନ୍ଧୀ ଖୁବଶୀଘ୍ର କଂଗ୍ରେସ କାର୍ଯ୍ୟ ସମିତି ବୈଠକ ଡକାଇଛନ୍ତି । ଉକ୍ତ ବୈଠକରେ ପରାଜୟକୁ ନେଇ ମନ୍ଥନ କରାଯିବ ।
ରଣଦୀପ ସିଂହ ସୁରଜେବାଲା ପଞ୍ଜାବରେ ଆମ ଆଦମି ପାର୍ଟିର ବିଜୟ ପାଇଁ ଅରବିନ୍ଦ କେଜ୍ରିୱାଲ ଓ ଭଗବନ୍ତ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପଞ୍ଜାବରେ ଚରଣଜୀତ ସିଂହ ଚନ୍ନୀଙ୍କ ମାଧ୍ୟମରେ କଂଗ୍ରେସ ଏକ ନୂଆ ନେତୃତ୍ୱ ପ୍ରସ୍ତୁତ କଲା । କିନ୍ତୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ସାଢ଼େ ୪ ବର୍ଷ ଶାସନ ବିରୋଧୀ ଲହରକୁ ଦୂର କରାଯାଇ ପାରିଲାନି । ସେଥିପାଇଁ ଲୋକମାନେ ପରିବର୍ତ୍ତନ ପାଇଁ ଆପକୁ ଚୟନ କରିଥିବା ସୁରଜେୱାଲା କହିଛନ୍ତି ।
