ଆସୁଛି ନିର୍ଵାଚନ! ଭୋଟରଙ୍କ ଆଙ୍ଗୁଠିରେ ଲଗାଯାଉଥିବା କାଳି କାହିଁକି ଶୀଘ୍ର ଛାଡ଼େ ନାହିଁ ? ଜାଣନ୍ତୁ କାରଣ
ଭୋଟ୍ ଦେବାବେଳେ, ଏକ ପ୍ରଶ୍ନ ଯାହା ପ୍ରାୟତଃ ସମସ୍ତ ଭୋଟରଙ୍କ ମନରେ ଅସିଥାଏ । ଯେ ତାଙ୍କ ଭୋଟ୍ କେତେ ସୁରକ୍ଷିତ ରହିବ । ଏବଂ ତାଙ୍କ ନାମରେ ଅନ୍ୟ କେହି ଯଦି ଭୋଟ୍ ଦେବେ । ଏହି ସନ୍ଦେହକୁ ଦୂର କରିବାକୁ ନିର୍ବାଚନ ଅଧିକାରୀମାନେ ଭୋଟ୍ ଦେବା ସହିତ ଭୋଟରଙ୍କ ଆଙ୍ଗୁଠିରେ ଏକ କାଳି ଲଗାଇଥାନ୍ତି । ତେବେ ଏହି କାଳି ଲଗାଇବାର ଶ୍ରେୟ ଦେଶର ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ସୁକୁମାର ସେନଙ୍କୁ ଦିଆଯାଇଛି । ତେବେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଭୋଟ ଦେବାକୁ ଆସିଥିବା ଭୋଟରଙ୍କ ଆଙ୍ଗୁଠିରେ କାଳି ଲଗାଯିବ । ସେହି ସମୟରେ ମନରେ ନିଶ୍ଚିନ୍ତ ପ୍ରଶ୍ନ ଆସିବ । ଆଙ୍ଗୁଳିରେ ଲଗାଯାଉଥିବା କାଳି ସହଜରେ କାହିଁକି ଛାଡ଼େନାହିଁ ? କେଉଁ ଜିନିଷରୁ ଏହା ତିଆରି ହୋଇଥାଏ ? ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା କାରଣ ।
ପ୍ରକୃତରେ ଲୋକମାନେ ଭୋଟ ଦେଇସାରିବା ପରେ ହାତ ଆଙ୍ଗୁଳିରେ ନୀଳ ରଙ୍ଗର କାଳି ଲଗାଯାଏ । ଆଙ୍ଗୁଳିରେ ଏହି କାଳି ବହୁତ ଦିନ ପର୍ୟ୍ୟନ୍ତ ଲିଭେ ନାହିଁ । ଥରେ ଭୋଟ ଦେବା ପରେ ଜଣେ ବ୍ୟକ୍ତି ଯେପରି ଆଉଥରେ ଭୋଟ ନଦେଇ ପାରିବ ସେଥିପାଇଁ ଏପରି କରାଯାଏ । ରିପୋର୍ଟ ମୁତାବକ ନିର୍ବାଚନରେ ବ୍ୟବହାର କରାଯାଉଥିବା କାଳି ଭାରତରେ ମାତ୍ର ଗୋଟିଏ କମ୍ପାନୀ ତିଆରି କରେ । ମୈସୁର ପେଣ୍ଟ ଏଣ୍ଡ ବାର୍ନିସ ଲିମିଟେଡ ନାମକ ଏକ କମ୍ପାନୀ ଏହି ନୀଳ ରଙ୍ଗର କାଳି ଉତ୍ପାଦନ କରେ । ଏମବିପିଏଲ ନାମକ ଏହି କମ୍ପାନୀ ଏହି କାଳିକୁ ଖୁଚୁରାରେ ବିକ୍ରି କରେ ନାହିଁ । କିନ୍ତୁ ଏହି କାଳିକୁ ସରକାର କିମ୍ବା ନିର୍ବାଚନ ସହ ଯଡ଼ିତ ଏଜେନ୍ସି କିଣିଥାଆନ୍ତି । ଏହି କମ୍ପାନୀ ଭାରତର ଏହି ଫୁଲପୃଫ କାଳିର ଏକ ମାତ୍ର ଅଧିକୃତ ଯୋଗଣକାରୀ ଅଟେ। ଏହି କମ୍ପାନୀ ପାଖରେ ୧୯୬୨ ମସିହାରୁ ରାଷ୍ଟ୍ରୀୟ ଅନୁସନ୍ଧାନ ବିକାସ ନିଗମ ଦ୍ୱାରା ଦିଆଯାଇଥିବା ବିଶେଷ ଲାଇସେନ୍ସ ରହିଛି ।
୧୯୬୨ ରେ ଭାରତୀୟ ନିର୍ବାଚନ ଆୟୋଗ ଆଇନ ମନ୍ତ୍ରଣାଳୟ, ରାଷ୍ଟ୍ରୀୟ ଭୌତିକ ପ୍ରୟୋଗଶାଳା ଓ ଏହି ନିଗମ ସହଯୋଗରେ କମ୍ପାନୀ ସହିତ ନିର୍ବାଚନ ପାଇଁ ଏହି କାଳିର ଯୋଗାଣ ପାଇଁ ବୁଝାମଣା କରାଯାଇଥିଲା । ଏହି ନିଳ ରଙ୍ଗର କାଳିକୁ ବନାଇବା ପାଇଁ ସିଲଭର ନାଇଟ୍ରେଡ ନାମକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଏ । କାଳି ଲାଗିଲା ପରେ ଏଥିରେ ଥିବା ସିଲଭର ନାଇଟ୍ରେଡ ଶରୀରରେ ଥିବା ଲବଣାଂଶ ସହ ମିଶି ସିଲଭର କ୍ଲୋରାଇଡରେ ପରିଣତ ହୁଏ । ଯେବେ ସିଲଭର କ୍ଲୋରାଇଡ ପାଣିରେ ମିଶେ ସେତେବେଳେ ଏହା ତ୍ୱଚାରେ ଲାଖିଯାଏ । ଯେପରି ଏହି କାଳି ପାଣି ସଂସ୍ପର୍ଶରେ ଆସେ ଏହାର ରଙ୍ଗ ପରିବର୍ତ୍ତନ ହୋଇ କଳା ହୋଇଯାଏ । ପରେ ଏହା ହାତରୁ ଶୀଘ୍ର ଲିଭେ ନାହିଁ ।
ସେଥିପାଇଁ ଅତିକମରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି କାଳି ଛାଡ଼େ ନାହିଁ । ଯେତେବେଳେ ଧିରେଧିରେ ତ୍ୱଚାର କୋଷ ପୁରୁଣା ହୋଇାଯାଏ । ସେହି ସମୟରେ ଏହି କାଳି ଛାଡ଼ିଥାଏ । ଏହି କାଳିକୁ ଲୋକମାନେ ଇଲେକସନ ଇଙ୍କ ବା ଇଣ୍ଡେଲିବଲ ଇଙ୍କ ନାମରେ ଜାଣିଛନ୍ତି । ଦେଶରେ ପ୍ରଥମେ ସାଧାରଣ ନିର୍ବାଚନରେ କାଳି ବ୍ୟବହାର ହେଉନଥିଲା । ନିର୍ବାଚନ ଆୟୋଗ ପୁନଃ ମତଦାନକୁ ରୋକିବା ପାଇଁ ଏଭଳି ଏକ କାଳିର ବ୍ୟବହାର କରିବା ପାଇଁ ନିଷ୍ପତି ନେଇଥିଲା। ପରେ ୧୯୬୨ମସିହା ଠାରୁ ଏହାର ବ୍ୟବହାର କରାଯାଉଛି । ସୂଚନା ମୁତାବକ କାଳି ତିଆରି କରୁଥିବା ଏହି କମ୍ପାନୀ ଭାରତ ବ୍ୟତିତ ଅନ୍ୟ ଦେଶମାନଙ୍କୁ ମଧ୍ୟ ନିର୍ବାଚନୀ କାଳି ଯୋଗାଇଥାଏ ।
