ରାଜନୈତିକ ଦଳ ଗୁଡିକୁ ଶକ୍ତ ଝଟକା ! ମିଳୁଥିବା ନଗଦ ଦାନ ଅର୍ଥ ହ୍ରାସ କରିବାକୁ ନିର୍ବାଚନ କମିଶନଙ୍କ ପ୍ରସ୍ତାବ
ନୂଆଦିଲ୍ଲୀ: ଦେଶର ରାଜନୈତିକ ଦଳ ଗୁଡିକୁ ଏକ ଶକ୍ତ ଝଟକା ଲାଗିଛି। ଖୁବଶୀଘ୍ର ଉଦ୍ୟୋଗପତିଙ୍କ କଳାଧନ ଆଉ ଧଳା ହେବ ନାହିଁ। କାରଣ ରାଜନୈତିକ ଦଳ ଗୁଡିକୁ ମିଳୁଥିବା ନଗଦ ଦାନ ଉପରେ ଅଙ୍କୁଶ ଲାଗିବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜିବ କୁମାର, କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜିଜୁଙ୍କ ନିକଟକୁ ଲେଖାଯାଇଥିବା ଚିଠିରେ ରାଜନୈତିକ ଦଳକୁ ଦିଆଯାଉଥିବା ନଗଦ ଦାନ ଅର୍ଥକୁ ୨୦୦୦୦ରୁ ୨୦୦୦ ଟଙ୍କାକୁ ହ୍ରାସ କରିବାକୁ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ଆବଶ୍ୟକୀୟ ନିୟମରେ ସଂଶୋଧନ କରିବାକୁ ମଧ୍ୟ ଆଇନ ମନ୍ତ୍ରାଳୟକୁ ପରାମର୍ଶ ଦିଆଯାଇଛି।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ଆଇନ ମନ୍ତ୍ରାଳୟକୁ ଏକ ଚିଠି ଲେଖିଛନ୍ତି। ଯେଉଁଠି ରାଜନୈତିକ ଦଳ ଗୁଡିକୁ ମିଳୁଥିବା ନଗଦ ଦାନକୁ ୨୦ ପ୍ରତିଶତ କମ କରିବା କିମ୍ବା ୨୦ କୋଟି ଟଙ୍କାକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି। ସୂତ୍ରରୁ ପ୍ରକାଶ ଯେ ନିର୍ବାଚନ ଆୟୋଗ ୨୦୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଅଜ୍ଞାତ ରାଜନୈତିକ ଦାନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଚିଠିରେ, ଲୋକ ପ୍ରତିନିଧୀ (ଆରପି) ଆଇନରେ ଅନେକ ସଂଶୋଧନ କରିବାକୁ ମଧ୍ୟ ସିଇସି ସୁପାରିଶ କରିଛି। ଏହି ପ୍ରସ୍ତାବ ଅନୁଯାୟୀ, ୨୦୦୦ରୁ କମ୍ ଟଙ୍କା ଗ୍ରହଣ କରିଥିବା ରାଜନୈତିକ ଦଳଗୁଡିକ ତାହାର ସୂଚନା ନିର୍ବାଚନ ଆୟୋଗକୁ ଦେବା ଆବଶ୍ୟକ ନାହିଁ। ବ୍ୟକ୍ତି ଓ ସଂସ୍ଥା ଗୁଡିକ ତାଙ୍କ କଳାଧନକୁ ଧଳା କରିବା ପାଇଁ ରାଜନୈତିକ ଦଳ ଗୁଡିକୁ ଦାନ କରୁଥିବା ନିର୍ବାଚନ ଆୟୋଗ କହିଛି।
ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ନିୟମ ଅନୁଯାୟୀ, ରାଜନୈତିକ ଦଳଗୁଡିକ ୨୦୦୦୦ରୁ ଅଧିକ ଟଙ୍କା ଦାନର ସମସ୍ତ ରିପୋର୍ଟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବା ଅନିବାର୍ଯ୍ୟ। ନିକଟରେ ୨୮୪ ଡିଫଲ୍ଟ ଏବଂ ଅଣପଞ୍ଜୀକୃତ ଅଜ୍ଞାତ ରାଜନୈତିକ ଦଳକୁ ନିର୍ବାଚନ ଆୟୋଗ ଚିହ୍ନଟ କରିଛି। ସେଥିମଧ୍ୟରୁ ୨୫୩ରୁ ଅଧିକ ଦଳ ନିଷ୍କ୍ରିୟ ଅଛନ୍ତି। ଏହାପୂର୍ବରୁ ଦେଶବ୍ୟାପୀ ପଞ୍ଜୀକୃତ ଅଜ୍ଞାତ ରାଜନୈତିକ ଦଳ ଏବଂ ସେମାନଙ୍କ ସନ୍ଦେହଜନକ ଆର୍ଥିକ କାରବାରକୁ ନେଇ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ୧୯୮ଟି ରାଜନୈତିକ ଦଳର ପତ୍ତା ମିଳିନଥିଲା। ସେହିପରି ୨୧୦୦ରୁ ଅଧିକ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସଂସ୍ଥା ଗୁଡିକ ନିର୍ବାଚନ ଆଇନ, ଆର୍ଥିକ କାରବାର ସହିତ ଜଡିତ ସେମାନଙ୍କ ଠିକଣା ଏବଂ ଅଫିସ୍ ବିଅରରଙ୍କ ନାମ ଅପଡେଟ୍ କରିବାରେ ବିଫଳ ହୋଇଛନ୍ତି।
ସୂଚନା ଯେ, ଦୁଇ ସପ୍ତାହ ତଳେ ଦେଶର ୧୦୦ରୁ ଅଧିକ ସ୍ଥାନରେ ଆୟକର ବିଭାଗଚଢାଉ କରିଥିଲା। ରାଜନୈତିକ ଦଳ ଗୁଡ଼ିକୁ ଆସୁଥିବା ଫଣ୍ଡିଂ ମାମଲାରେ ଏହି ଚଢାଉ କରାଯାଇଥିଲା। ଦିଲ୍ଲୀ ଠାରୁ ଆରମ୍ଭ କରି ଉତ୍ତରାଖଣ୍ଡ, କର୍ଣ୍ଣାଟକ, ରାଜସ୍ଥାନ ଆଦି ସ୍ଥାନରେ ଚଢାଉ ହୋଇଥିଲା। ଦିଲ୍ଲୀର କିଛି ବ୍ୟବସାୟୀ ଟ୍ୟାକ୍ସ ଫାଙ୍କିବା ତଥା ଚୋରି ମାମଲାରେ ଆୟକର ବିଭାଗ ସ୍କାନରରେ ପୂର୍ବରୁ ରହି ଆସିଛନ୍ତି। ଜୟପୁରରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି। ମୁଖ୍ୟତଃ ଉତ୍ତର ପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ, ହରିୟାଣା ଏବଂ ଗୁଜରାଟରେ ଆୟକର ମିଳିତ ଭାବେ ଚଢାଉ କରିଛି।
