୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ
ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଓ ସ୍ଥାନାନ୍ତରଣକୁ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ରାଜ୍ୟ ଗୁଡିକ ମଧ୍ୟରେ ରହିଛି ମିଜୋରାମ, ଗୋଆ, ହରିୟାଣା, ତ୍ରିପୁରା, ଝାରଖଣ୍ଡ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଏବଂ ମଧ୍ୟପ୍ରଦେଶ । କେନ୍ଦ୍ରମନ୍ତ୍ରୀ ଥାବରଚନ୍ଦ ଗହଲୋତଙ୍କୁ କର୍ଣ୍ଣାଟକର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ସେହିପରି ହିମାଚଳ ପ୍ରଦେଶର ରାଜ୍ୟପାଳ ବଂଡାରୁ ଦତାତ୍ରେୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ବଦଳି କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ଏନେଇ ବିଜ୍ଞପ୍ତି ଜାରୀ କରାଯାଇଛି ।
କର୍ଣ୍ଣାଟକ, ମିଜୋରାମ, ହିମାଚଳ ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ୪ ଜଣ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି । ଥାବରଚନ୍ଦ ଗହଲୋତଙ୍କୁ କର୍ଣ୍ଣାଟକର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଡା.ହରିବାବୁ କମ୍ଭମପତିଙ୍କୁ ମିଜୋରାମ, ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ହିମାଚଳ ପ୍ରଦେଶ ଏବଂ ମଙ୍ଗୁଭାଇ ଛଗନ ଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଗୋଆ, ହରିୟାଣା, ତ୍ରିପୁରା ଓ ଝାରଖଣ୍ଡରେ ୪ ରାଜ୍ୟପାଳଙ୍କୁ ସ୍ଥାନାନ୍ତରିତ କରାଯାଇଛି । ମିଜୋରାମ ରାଜ୍ୟପାଳ ପିଏମ ଶ୍ରୀଧରନଙ୍କୁ ବଦଳି କରାଯାଇ ତାଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ହିମାଚଳ ପ୍ରଦେଶର ରାଜ୍ୟପାଳ ବଂଡାରୁ ଦତାତ୍ରେୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ହରିୟାଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ତ୍ରିପୁରାର ରାଜ୍ୟପାଳ ରମେଶ ବୈଂଶଙ୍କୁ ବଦଳି କରାଯିବା ସହ ତାଙ୍କୁ ଝାରଖଣ୍ଡର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।
