ରାଜ୍ୟରେ ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯିବ – ମନ୍ତ୍ରୀ ପ୍ରଦିପ ଅମାତ
ବୌଦ୍ଧ : ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ସ୍ଥାନିୟ ଟାଉନହଲ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସଂଘର ସଭାପତି ରତ୍ନାକର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ରାଜ୍ୟରେ ସାମ୍ବାଦିକମାନଙ୍କ ସବୁ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର ଯୋଗଦେଇ ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ବୀମାଭୁକ୍ତ କରି ସାମ୍ବାଦିକ ଗଣନା ନେଇ ରହିଥିବା ସଂଶୟ ଦୂର କରିଥିବା ବେଳେ ବୀମା ରାଶି ବୃଦ୍ଧି କରିବା, ଅବସରକାଳୀନ ଭତା ପ୍ରଦାନ କରିବା ଉପରେ ଆଲୋକପାତ କରିଥିଲେ । ଦେଶରେ ୧୬ ଟି ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ ଅବସରକାଳୀନ ଭତା ପ୍ରଦାନ କରୁଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ତେଣୁ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ ଆଗାମୀ ଦିନରେ ରାଜ୍ୟବ୍ୟାପୀ ସାମ୍ବାଦିକମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାଶ ଓ ଏନଏସି ଅଧ୍ୟକ୍ଷ ମୃତ୍ୟୁନ୍ଜୟ ମିଶ୍ର ଯୋଗଦେଇ ଅଂଚଳର ବିକାଶରେ ସାମ୍ବାଦିକମାନଙ୍କ ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିଥିଲେ । ଅନ୍ୟତମ ବକ୍ତା ଭାବରେ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଓ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ମିଶ୍ର ବାର୍ଷିକ ବିବରଣୀ ପାଠ କରିବା ସହିତ ଜିଲ୍ଲାରେ ସାମ୍ବାଦିକମାନଙ୍କ ପ୍ରେସ କଲୋନୀ ସ୍ଥାପନ କରାଯିବାକୁ ଜାଗା ଚିହ୍ନଟ ପାଇଁ ଦାବି କରିଥିଲେ । ଉତ୍ସବରେ ସମସ୍ତ ଅତିଥିମାନଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଜିଲ୍ଲା ସଂଘର ବରିଷ୍ଠ ସଦସ୍ୟ ରବିନ୍ଦ୍ର କୁମାର ରାଉତ, ଅଜିତ କୁମାର ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସୁବର୍ଣ୍ଣପୁର ଜିଲ୍ଲା ସଂଘ ସଭାପତି ଗୋରେଖନାଥ ସାହୁ, ମାଲକାନଗିରି ଜିଲ୍ଲା ସଂଘ ସଭାପତି ଦୁର୍ଯ୍ୟଧନ ପାତ୍ର, କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ ଦାଶ ଓ ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ ମିଶ୍ର ଓ ଗଞ୍ଜାମ ଜିଲ୍ଲା ସଭାପତି ଅନିଲ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୨୨ ମେଟ୍ରିକ ପରୀକ୍ଷାରେ ଜିଲ୍ଳାରେ ସର୍ବୋଚ୍ଚ ନମ୍ବର ପାଇଥିବା ଅନୁଷ୍କା ଅଗ୍ରୱାଲାଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ଦେବାଶିଷ ପୁରୋହିତ ମଂଚ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଗେହ୍ଲାମା କଳା ନିକେତନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
