ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ, ଦେଶରେ ଗହମ ସଙ୍କଟ
ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ଯୁଦ୍ଧକୁ ପ୍ରାୟ ଦୁଇ ମାସ ବିତିଯିବ । କିନ୍ତୁ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ଦେଖାଯାଉନି । ଦୁଇ ଦେଶ ନିଜ ନିଜ ଜିଦରେ ଅଟଳ । ଯାହାର ଅନ୍ୟ ଦେଶମାନଙ୍କ ଉପରେ ପଡୁଛି । ବିଭିନ୍ନ ଜିନିଷର ଦର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଗହମ ସଙ୍କଟ ଦେଖାଦେଇଛି । ୟୁକ୍ରେନ ଉପରେ ଆକ୍ରମଣ ଲାଗି ଆମେରିକା ସମେତ କିଛି ଦେଶମାନେ ଋଷ ଉପରେ କଟକଣା ଜାରି କରିଛନ୍ତି । ଋଷରୁ ଗହମ ଓ ଅଶୋଧିତ ତୈଳ ଓ ଅନ୍ୟ ସାମଗ୍ରୀ ଆମଦାନୀ ବାତିଲ କରିଛନ୍ତି । ଏଭଳି ପରିସ୍ଥିତିରେ ଭାରତ ଗହମ ରପ୍ତାନୀ ବୃଦ୍ଧି କରିଛି ।
ତେବେ ମୂଲ୍ୟ ବୃଦ୍ଧିରେ ସ୍ଥାନୀୟ ବଜାର ଉପରେ ରପ୍ତାନୀର ପ୍ରଭାବ ପଡିବା ପରିସ୍ଥିତିକୁ ଅସ୍ୱଭାବିକ କରିଛି । ମଧ୍ୟପ୍ରଦେଶ ଏବେ ଦୈନିକ ୨ରୁ ୩ କ୍ୱିଣ୍ଟାଲ ଗହମ ୟୁରୋପ ଓ ଆଫ୍ରିକୀୟ ଦେଶକୁ ପଠାଉଛି । ଯେଉଁଥିପାଇଁ ସ୍ଥାନୀୟ ବଜାରରେ ଗହମ ଏବଂ ଅଟା ମୂଲ୍ୟ ବୃଦ୍ଧି ପାଇଛି । ଗତ ୧୫ ଦିନରେ କ୍ୱିଇଣ୍ଟାଲ ପ୍ରତି ଗହମ ଦର ୨ ହଜାର ୨ ଶହ ଟଙ୍କାରୁ ବଢ଼ି ୨ ହଜାର ୩୦୦ ଟଙ୍କାରେ ପହଁଚିଛି । ଗହମର ମୂଲ୍ୟ ବୃଦ୍ଧି ହେତୁ ଗହମରୁ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି ।
