କୋଇଲା ଏବଂ ଗୋଚାଲାଣ ମାମଲାରେ ମମତାଙ୍କ ଭଣଜାଙ୍କୁ ଇଡି ପଠାଇଲା ସମନ, ପତ୍ନିଙ୍କୁ ମଧ୍ୟ ନୋଟିସ୍
କୋଲକାତା : ପଶ୍ଚିମବଙ୍ଗରେ କୋଇଲା ଏବଂ ଗୋଚାଲାଣ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ମାମଲାରେ ଧନ ଶୋଧନର ଯାଂଚ କରୁଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଅଭିଷେକ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ନୋଟିସ୍ ପଠାଇ ବ୍ୟାଙ୍କ ଖାତାର ଟ୍ରାଞ୍ଜାକ୍ସନର ସୂଚନା ମାଗିଛନ୍ତି । ଏହା ଉପରେ ତୃଣମୂଳ ସାଂସଦ ଅଭିଷେକ ପ୍ରତିଉତରରେ କହିଛନ୍ତି ଯେ ଏଜେନ୍ସି ଜରିଆରେ ଭାରତୀୟ ଜନତା ପାର୍ଟି ତୃଣମୂଳ କଂଗ୍ରେସକୁ ରୋକିବାକୁ ଚେଷ୍ଟା କରିଛି । କିନ୍ତୁ ସେ ଏଥିରେ ସଫଳ ହୋଇନାହାନ୍ତି । ଆମେ କୌଣସି ଅପରାଧ କରିନାହୁଁ । ଏଥିପାଇଁ କୌଣସି ଡର ନାହିଁ ।
ଏହି ମାମଲାରେ ଅଭିଷେକ ବାନାର୍ଜୀ ସମେତ ପାଂଚ ଲୋକଙ୍କୁ ପଚରାଉଚୁରା ହେବ । ତୃଣମୂଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଇଡି ସେପ୍ଟେମ୍ବର ୩ରେ ଆସିବାକୁ ଜଣାଇଛି । ପାଇଥିବା ସୂଚନା ମୁତାବକ ଇଡି ଅଭିଷେକଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସେପ୍ଟେମ୍ବର ୧ରେ ହାଜିର ହେବା ପାଇଁ କହିଛି । ଏହାସହିତ ଦୁହିଁଙ୍କ ବ୍ୟାଙ୍କ ଖାତାର ସୂଚନା ଦେବାକୁ ମଧ୍ୟ କୁହାଯାଇଛି । ଅଧିକାରୀ କହିଛନ୍ତି ଯେ ମାମଲାରେ ଯୋଡ଼ିହୋଇଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ଆସନ୍ତା ମାସରେ ଅଲଗା ଅଲଗା ତାରିଖରେ ହାଜିରା ହେବାପାଇଁ ସମନ ଜାରି କରାଯାଇଛି । ଉଲ୍ଲେଖନୀୟ ଯେ ଇଡି ସିବିଆଇକୁ ୨୦୨୦ରେ ପ୍ରାଥମିକ ଅଧ୍ୟୟନ କରିବା ପରେ ଧନଶୋଧନର ଅପରାଧିକ ଧାରାରେ ମାମଲା ରୁଜୁ କରିଥିଲା ଯେଉଁ ଆଧାରରେ ସମନ ପଠାଯାଇଛି ।
