ଅଗଷ୍ଟ ୧୫ରୁ ଏସସିବିରେ ଆରମ୍ଭ ହେବ ଇକ୍ମୋ ଚିକିତ୍ସା
- ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ଏସସିବି ମେଡିକାଲକୁ ୩ ଦଫାରେ ଆସିବ ୯ଟି ଇକମୋ ମେସିନ
କଟକ : କଟକ ସ୍ଥିତ ଏସସିବି ବଡ ମେଡିକାଲକୁ ୩ ଦଫାରେ ଆସିବ ୯ଟି ଇକମୋ ମେସିନ୍ । ସେହିପରି ଅଗଷ୍ଟ ୧୫ ତାରିଖରୁ କଟକର ଏସସିବିରେ ଇକ୍ମୋ ଚିକିତ୍ସା ଆରମ୍ଭ ହେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଅଗଷ୍ଟ ୧୦ ସୁଦ୍ଧା ସମସ୍ତ ମେସିନ୍ ଇନଷ୍ଟଲ ହୋଇ ୧୫ ତାରିଖରୁ ଚିକିତ୍ସା ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି । ପୂର୍ବରୁ ୬ଟି ମେସିନ୍ ଆସିବ ବୋଲି ସ୍ଥିର କରାଯାଇଥିଲା । ମାତ୍ର ଏବେ ୯ଟି ମେସିନ୍ ଆସିବ ବୋଲି ପୁନଶ୍ଚ କୁହାଯାଇଛି ।
ସେହିପରି ମେସିନ୍ ସଂଖ୍ୟା ବଢୁଥିବାରୁ କର୍ମଚାରୀ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ହୋଇଛି । ମେସିନ ଲାଗି ୭ ଜଣ ପର୍ଫ୍ୟୁଜୋନିଷ୍ଟ ବଦଳରେ ୧୪ଜଣ ଓ ୪ ଜଣ ଇସିଜି ଟେକନିସିଆନ୍ଙ୍କ ବଦଳରେ ୮ ଜଣ ଟେକନିସିଆନ୍ ଆବଶ୍ୟକତା ପଡ଼ିବ । ତେଣୁ ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଇତିମଧ୍ୟରେ ୩ଜଣ ପର୍ଫ୍ୟୁଜୋନିଷ୍ଟ ସାକ୍ଷାତକାର ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ମାତ୍ର ଦରମାକୁ ନେଇ ସେମାନେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଆଜି ଏହି ୩ଜଣ ମେଡିକାଲ୍ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଲିଖିତ ଜଣାଇଛନ୍ତି । ମିଳିଥିବା ସୂଚନା ମୁତାବକ ପର୍ଫ୍ୟୁଜୋନିଷ୍ଟଙ୍କ ଦରମାକୁ ୧୬ ହଜାରରୁ ୩୬ ହଜାର କରିବା ପାଇଁ ଆଜିର ବୈଠକରେ ସ୍ଥିର କରାଯାଇଛି ।
