ଓଜନ କମାଏ ଚକଲେଟ୍
ଚକଲେଟ୍ ଖାଇଲେ ଓଜନ କମିବ । ଏ କଥା ଆମେ କହୁନୁ । ଏହା ବୈଜ୍ଞାନିକଙ୍କ ମତ । ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ ଯେଉଁମାନେ ଅଧିକାଂଶ ସମୟରେ ଚକଲେଟ୍ ଖାଇଥାନ୍ତି, ସେମାନେ ଅପେକ୍ଷାକୃତ ଦୁର୍ବଳ ଏବଂ ପତଳା ଦୃଶ୍ୟମାନ ହୁଅନ୍ତି । ଆମେରିକାରେ ପ୍ରାୟ ହଜାରେ ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ଯେଉଁ ଲୋକ ସପ୍ତାହରେ କିଛି ଚକଲେଟ୍ ଖାଆନ୍ତି ସେମାନେ ଆଦୌ ଚକୋଲେଟ୍ ଖାଉ ନଥିବା ବ୍ୟକ୍ତିବିଶେଷଙ୍କଠାରୁ ସାମାନ୍ୟ ପତଳା ଦେଖାଯାଉଥିବାର ଜଣାପଡ଼ିଥିଲା । ଚକୋଲେଟ୍ରେ ଅଧିକ ମାତ୍ରାରେ କ୍ୟାଲୋରି ଅଛି ସତ; କିନ୍ତୁ ଏଥିରେ ଏପରି ତତ୍ୱ ରହିଛି ଯାହା ଓଜନ କମ କରିବାରେ ସହାୟକ ହୁଏ ।
‘ଇଂଟରନ୍ୟାଲ୍ ମେଡିସିନ୍’ ନାମକ ମାସିକ ବିଜ୍ଞାନ ପତ୍ରିକାରେ ଏ ସମ୍ବନ୍ଧରେ ଏକ ରିପୋର୍ଟ ପ୍ରକାଶ ପାଇଛି । ବୈଜ୍ଞାନିକଙ୍କ ମତରେ ଓଜନ ବଢ଼ିବାର କାରଣ ନୁହେଁ ଯେ ନିଜେ କେତେ କ୍ୟାଲୋରୀ ଗ୍ରହଣ କରୁଛନ୍ତି । କି ପ୍ରକାର କ୍ୟାଲୋରି ନେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । କେତେଟା ଚକଲେଟ ଖାଉଛନ୍ତି ଅପେକ୍ଷା କେତେଥର ଚକଲେଟ୍ ଖାଉଛନ୍ତି ତାହା ବହୁ ମହତ୍ୱପୂର୍ଣ୍ଣ । ପୂର୍ବରୁ ମଧ୍ୟ ବୈଜ୍ଞାନିକମାନେ ଏପରି ସୂଚନା ଦେଇସାରିଛନ୍ତି । ଏହା ଆମ ପାଇଁ ଉପକାରୀ । ହୃଦୟ ପାଇଁ ମଧ୍ୟ ଏହା ଉପାଦେୟ ବୋଲି ଅନ୍ୟ କେତେକ ଅଧ୍ୟୟନରୁ ଜଣାପଡ଼ିଛି । କିଛି ସ୍ୱତନ୍ତ୍ର ପ୍ରକାରର ଚକୋଲେଟ୍ ଖାଇବା ଦ୍ୱାରା ଶରୀରରେ ଇନ୍ସୁଲିନ, ରକ୍ତଚାପ ଏବଂ କୋଲେଷ୍ଟ୍ରୋଲର ସ୍ତରରେ ତାରତମ୍ୟ ପରିଲକ୍ଷିତ ହୁଏ । ଏଥିରେ ଥିବା କଳା ଅଂଶରେ ଆଂଟି ଅକ୍ୱିଡାଣ୍ଟ ଥାଏ ଯାହା ଶରୀରରେ ଥିବା କୁପଦାର୍ଥ କମ୍ କରିବାରେ ସାହାଯ୍ୟ କରେ । ତେବେ ଚକଲେଟ୍ ଖାଇବା ପୂର୍ବରୁ ଏହା ଜ୍ଞାତ ରହିବା ଜରୁରୀ ଯେ ଏହାକୁ ନେଇ ଏବେ ବି ଅନେକ ଅଣଉତ୍ତଚିତ ପ୍ରଶ୍ନ ବାକି ରହିଛି ।
