ମରୋକ୍କୋରେ ଶକ୍ତିଶାଳୀ ଭୂମିକମ୍ପ, ୩୦୦ ମୃତ, ଆହୁରି ବଢିପାରେ ମୃତାହତଙ୍କ ସଂଖ୍ୟା
ରିକ୍ଟର ସ୍କେଲରେ ତିବ୍ରତା ୬.୮ ରେକର୍ଡ
ନୂଆଦିଲ୍ଲୀ : ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲର ଏହାର ତିବ୍ରତା ୬.୮ ରେକର୍ଡ କରାଯାଇଛି । ସ୍ଥାନୀୟ ସମୟ ରାତି ୧୧ଟା ୧୧ମିନିଟ୍ରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପରେ ୩୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳୁଛି । ବହୁ ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ମୃତାହତ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଭୂମିକମ୍ପ ଯୋଗୁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି ।
ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଅନୁସାରେ, ମରୋକ୍କୋରେ ଆସିଥିବା ଏହି ଭୂମିକମ୍ପ ସବୁଠୁ ଶକ୍ତିଶାଳୀ । ଏହାର କେନ୍ଦ୍ରସ୍ଥଳ ଏଟଲସ୍ ପର୍ବତଶ୍ରେଣୀ ଠାରୁ ୭୧ କିଲୋମିଟର ଦୂର ଇଘିଲ୍ ବୋଲି କୁହାଯାଉଛି । ସେହିପରି ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୮ କିଲୋମିଟର ଗଭୀରତାରେ ରହିଛି। ଯାହାକି ଭୂମିକମ୍ପ ପରେ ଲୋକେ ଜୀବନ ବଞ୍ଚାଇବା ଲାଗି ଏଣେତେଣେ ଧାଁ ଦଉଡ଼ କରିଥିଲେ । ଭୂମିକମ୍ପ ଯୋଗୁଁ ଅନେକ କୋଠା ଭୁଶୁଡ଼ି ଯାଇଥିବା ବେଳେ ଲୋକ ଧ୍ବଂସାବଶେଷ ତଳେ ଫସିରହିଥିବା ଅନୁମାନ କରାଯାଇଛି । ଭୂମିକମ୍ପ ପରେ ଏକାଧିକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି । ଟେଲିଫୋନ୍ ଲାଇନ୍ କାଟି ଯାଉଛି । ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଭିଡ଼ ବଢ଼ିବାରେ ଲାଗିଛି । ମୋରୋକ୍କୋକୁ ଲାଗି ରହିଥିବା ଆଲଜେରିଆରେ ଭୂମିକମ୍ପ ଅନୁଭୂତ ହୋଇଛି ।
