ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଡ୍ୱେନ ବ୍ରାଭୋ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କାରବିୟାନ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ । ଫଳରେ ଆଉ ପିଚ୍ରେ ଦେଖିବାକୁ ମିଳିବନି ତାଙ୍କର ଧୂଆଁଦାର ବ୍ୟାଟିଂ ଓ ଦମଦାର ବୋଲିଂ । ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ଡ୍ୱେନ ବ୍ରାଭୋ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । ଶ୍ରୀଲଙ୍କା ମ୍ୟାଚ୍ ପରେ ଫେସବୁକ୍ ଲାଇଭ୍ ସୋ’ରେ ପୂର୍ବତନ ଅଧିନାୟକ ଡାରେନ୍ ସାମି ଏବଂ ସମୀକ୍ଷକ ଆଲେକ୍ସ ଜୋର୍ଡାନଙ୍କ ସହ ବାର୍ତ୍ତାଳାପ ସମୟରେ ବ୍ରାଭୋ ତାଙ୍କ ଅବସରକୁ ନିଶ୍ଚିତ କରିଛନ୍ତି ।
ବ୍ରାଭୋ କହିଛନ୍ତି, ‘ମୁଁ ଭାବୁଛି ସମୟ ଆସିଛି । ୧୮ ବର୍ଷର କ୍ୟାରିୟର ଭିତରେ ମୁଁ ବହୁତ କିଛି ଉତଥାନ ପତନ ଦେଖିଛି । କିନ୍ତୁ ଯେତେବେଳେ ମୁଁ ଏହା ପଛକୁ ଚାହେଁ ସେତେବେଳେ କାରିବିଆନ୍ ଲୋକେ ମୋତେ ସଦା ସର୍ବଦା ଦେଖାଯିବେ । କାରଣ ଏଠାରେ ଏତେ ଦିନ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିବାରୁ ମୁଁ ବହୁତ କୃତଜ୍ଞ । ମୋ କ୍ୟାରିୟରରେ ତିନୋଟି ଆଇସିସି ଟାଇଟଲ୍ ଜିତିବା ଏକ ବଡ଼ ସଫଳତା । ସେହିପରି ‘ଏହି ବିଶ୍ୱକପ୍ ଯାହା ଆମେ ଆଶା କରିଥିଲୁ ତାହା ନୁହେଁ । ଆମେ ନିଜ ପାଇଁ ଦୁଃଖ ଅନୁଭବ କରିବା ଉଚିତ୍ ନୁହେଁ । ଏହା ଏକ କଠିନ ପ୍ରତିଯୋଗିତା ଥିଲା ଏବଂ ଆମକୁ ମୁଣ୍ଡ ନୁଆଁଇବାକୁ ପଡିଲା । ମୋର ଯାହା କିଛି ଅଭିଜ୍ଞତା ଏବଂ ସୂଚନା ଅଛି, ମୁଁ ଏହାକୁ ଯୁବ ଖେଳାଳିଙ୍କ ସହ ବାଣ୍ଟିବାକୁ ଚେଷ୍ଟା କରିବାକୁ ଚାହୁଁଛି । ମୁଁ ଭାବୁଛି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ର ଧଳା ବଲ୍ ଫର୍ମାଟରେ ଉଜ୍ଜ୍ୱଳ ଭବିଷ୍ୟତ ଅଛି ଏବଂ ଖେଳାଳିଙ୍କୁ ସମର୍ଥନ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ । ସୂଚନା ଯେ, ୨୦୨୧ଟି -୨୦ ବିଶ୍ୱକପ୍ରେ ୱେଷ୍ଟଇଣ୍ଡିଜକୁ ୨୦ ରନ୍ରେ ହରାଇଛି ଶ୍ରୀଲଙ୍କା । ଏହି ପରାଜୟ ସହିତ ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଦଳ ସେମିଫାଇନାଲ ଦୌଡ଼ରୁ ବାଦ ପଡିଛି । ତେବେ ପରାଜୟରୁ ହତାଶ ହୋଇ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ।
