ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା; ଆସନ୍ତା ୩ ମାସ ମଧ୍ୟରେ ପୂରଣ ହେବ ଦାବି
ଭୁବନେଶ୍ୱର : ଆସନ୍ତା ତିନି ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭର ଏକତା ମହାସଂଘର ଦାବି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ଡ୍ରାଇଭର ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ । ଆସନ୍ତା ୩ ମାସ ଭିତରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକର ବିଚାର କରାଯାଇ ସମାଧାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ବିବୃତି ଜାରି କରାଯାଇଛି।
୧୦ ଦଫା ଦାବି ନେଇ ଗତ ବୁଧବାର ଠାରୁ ଆନ୍ଦୋଳନକୁ ଓହ୍ଲାଇ ଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ଗୁରୁବାର ଡ୍ରାଇଭର ମହାସଂଘ ଆନ୍ଦୋଳନର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନରେ ଉଗ୍ରରୂପ ଧାରଣ କରିଥିଲା । ତେବେ ଏହାରି ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୂଖ୍ୟ ଶାସନ ସଚିବ । ୩ ମାସରେ ଡ୍ରାଇଭର ଏକତା ମହାସଂଘ ଦାବି ସମାଧାନ ହେବ । ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଆଲୋଚନାରେ ଏହି ନିଷ୍ପତି ନିଆଯାଇଛି । ନିଷ୍ପତି ନେଇ ଓଡିଶା ଡ୍ରାଇଭର ଏକତା ମହାସଂଘ ଆବାହକଙ୍କୁ ଚିଠି ମଧ୍ୟ ଦିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଲିଖିତ ଆକାରରେ ଡ୍ରାଇଭର ମହାସଂଘ ଆବାହକଙ୍କୁ ଜଣାଇ ଦିଆଯାଇଛି ।
୧୦ ଦଫା ଦାବି ନେଇ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଗୁରୁବାର ଦ୍ୱିତୀୟ ଦିନରେ ପହଂଚି ଥିଲା । ଦ୍ୱିତୀୟ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଓ ଟ୍ରକ୍ ଚଳାଚଳ ପ୍ରଭାବିତ ହୋଇଛି । ଗତକାଲି ଭଳି ଆଜି ବି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଓ କଟକ ବାଦାମବାଡି ବସଷ୍ଟାଣ୍ଡ ଖାଁ ଖାଁ ଲାଗୁଛି । ଆବଶ୍ୟକ ଯାତ୍ରୀ ଓ ବସ୍ ନଥିବାରୁ ବସ୍ଷ୍ଟାଣ୍ଡରୁ ଗଡୁନି ବସ୍ । ବସ୍ ଚାଲୁନଥିବାରୁ ଯାତ୍ରୀ ମାନେ ଫେରିଯାଉଥିବାର ଦେଖିବାକୁ ମିଳିଛି । ଡ୍ରାଇଭର ସଂଘର କର୍ମକର୍ତାମାନେ ବିଭିନ୍ନ ସ୍ଥାନରେ ଏବେ ବି ଧାରଣାରେ ବସି ରହିଛନ୍ତି । ଡ୍ରାଇଭର ମାନଙ୍କ ଧାରଣା ଯୋଗୁଁ ମାଲ ପରିବହନ ବାଧାପ୍ରାପ୍ତ ହୋଇଛି । ଫଳରେ ପନିପରିବା , ପେଟ୍ରୋଲ ସମେତ ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବଢିବା ଆଶଙ୍କା କରାଯାଉଛି । ଅପରପକ୍ଷରେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ବସ୍ ଚଳାଚଳ ପ୍ରଭାବିତ ହେବା ପାଇଁ ପୋଲିସ ଦାୟୀ ବୋଲି କହିଛନ୍ତି । ସେ କହିଛନ୍ତି ପୋଲିସ ଉପସ୍ଥିତିରେ ଆମ ବସ୍ ଡ୍ରାଇଭରଙ୍କୁ ଅପମାନିତ କରାଯାଉଛି । ପୋଲିସ ସୁରକ୍ଷା ଦେବାକୁ କହି ଦେଉନି, ଆମେ କିପରି ବସ୍ ଚଳାଇବୁ । ସେମାନେ ରାସ୍ତାରେ ଗାଡ଼ିକୁ ଅଟକାଉଛନ୍ତି, ପୋଲିସ ଥାଇ କିଛି କରୁ ନାହିଁ । ଏନେଇ ପୋଲିସ ଡିଜିଙ୍କୁ ମଧ୍ୟ ଜଣାଇ ସାରିଛି ।ଆଜି ବୈଠକ ଅଛି, ଅପରାହ୍ନ ୨ଟା ସୁଦ୍ଧା ନିଷ୍ପତି ଜଣାଇବୁ ବୋଲି ସେ କହିଛନ୍ତି ।
