ଫୁଲବାଣୀ ଉପକଣ୍ଠ ରୁଜାଙ୍ଗି ଅଂଚଳରେ ଶୀତ ଋତୁରେ ପାନୀୟ ଜଳ ସମସ୍ୟା, ପ୍ରତିବାଦରେ ରାସ୍ତାରୋକ
କନ୍ଧମାଳ : ପ୍ରଚଣ୍ଡ ଶୀତରେ ଦେଖାଦେଲାଣି ପାନୀୟ ଜଳ ସମସ୍ୟା । ପାଣି ପାଇଁ ଉତ୍ୟକ୍ତ ଲୋକେ ବୁଧବାର ବ୍ରହ୍ମପୁର – ଫୁଲବାଣୀ ଜାତୀୟ ରାଜପଥ ରୁଜାଙ୍ଗିଠାରେ ଗରା, ମାଠିଆ ବାଲଟି ରଖି ରାସ୍ତା ଅବରୋଧ କରିବା ଫଳରେ ବ୍ରହ୍ମପୁର, ବାଲିଗୁଡା, ରାୟଗଡା, ଆଦି ଯିବାକୁ ଥିବା ଗାଡି ମୋଟର ଆଦି ଅଟକି ରହିଛି ସକାଳୁ । ରୁଜାଙ୍ଗିରେ ୩ଟି ନଳକୂପ ଥିଲେ ବି ସବୁ ଗୁଡିକ ଅଚଳ ହୋଇପଡିଛି । ସେହିପରି ପାନୀୟ ଜଳ ପ୍ରକଳ୍ପ ମଧ୍ୟ ଅଚଳ । ମରାମତି କରିବା ପାଇଁ ବାରମ୍ବାର ଜଣାଇଥିଲେ ବି ସୁଫଳ ମିଳିଲାନି ଫଳରେ ଗତ ଚାରି ମାସ ହେଲା ପାନୀୟ ଜଳ ସୁବିଧା ନପାଇ ହନ୍ତସନ୍ତ ହେଉଥିଲେ ରୁଜାଙ୍ଗି ଗ୍ରାମବାବାସୀ । ଫଳରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିବାକୁ ପଡିଲା ବୋଲି ଗ୍ରାମର ଶିବାଶିନୀ ବେହେରା, ସୁକୁମାରୀ ବେହେରା କହିଛନ୍ତି । ଖବର ପାଇ ପୋଲିସ, ତହସିଲଦାର, ବିଡ଼ିଓ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯନ୍ତ୍ରୀ, ସରପଂଚ ପ୍ରମୁଖ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରେ ଗ୍ରାମବାସୀ ମାନେ ପୂର୍ବରୁ ଜଣାଇଥିଲେ ପାନୀୟଜଳ ସମସ୍ୟା ସମାଧାନ ହୋଇପାରିଥାନ୍ତା । ବର୍ତମାନ ଅତି ଶୀଘ୍ର ସେମାନଙ୍କ ସମସ୍ୟା ଦୂର କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ବି.କେ. ଦାଶ କହିଛନ୍ତି । ତେବେ ରୁଜାଙ୍ଗି ଗ୍ରାମର ପାନୀୟ ଜଳ ସମସ୍ୟା କେବେ ଦୂର ହେଉଛି ଆଗକୁ ଜଣାପଡିବ ।
