‘ଭିଏଲ ଏସଆରସାମ’ର ସଫଳ ପରୀକ୍ଷଣ, ନୌସେନାର ଶକ୍ତି ବୃଦ୍ଧି
ବାଲେଶ୍ୱର : ଓଡିଶା ଉପକୂଳରୁ ସଫଳତାର ସହ ‘ଭିଏଲ ଏସଆରସାମ’ ମିସାଇଲର ସଫଳ ପରୀକ୍ଷଣ । ମଙ୍ଗଳବାର ଏହି ପରୀକ୍ଷଣକୁ ଭାରତୀୟ ନୌସେନା ଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍ଡିଓ) ପକ୍ଷରୁ ମିଳିତ ଭାବେ ହୋଇଛି । ଓଡିଶା ଉପକୂଳର ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରୁ ଏହି ପରୀକ୍ଷଣ ହୋଇଛି ।
ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ନୌସେନା ଜାହାଜରୁ ଉତ୍କ୍ଷେପଣ କରାଯାଇଥିଲା । ପୂର୍ବରୁ ନିର୍ଦ୍ଧାରିତ ସମୟରେ ଉତ୍କ୍ଷେପଣ ହୋଇଥିବା ଏକ ହାଇସ୍ପିଡ ଏରିଆଲ ଟାର୍ଗେଟକୁ ସଠିକତାର ସହ ହିଟ କରିବା ସହ ନଷ୍ଟ କରିବାରେ ସମ୍ପୂର୍ଣ୍ଣ ସଫଳ ହୋଇଥିଲା ଏହି କ୍ଷେପଣାସ୍ତ୍ର । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ମଧ୍ୟ ସ୍ୱାଭାବିକ ଭାବେ କାର୍ଯ୍ୟ କରିଥଲା । କ୍ଷେପଣାସ୍ତ୍ରଟି ନୌସେନା ଯୁଦ୍ଧ ଜାହାଜରୁ ଉତ୍କ୍ଷେପଣ ହୋଇଥିଲା ବେଳେ ଏହାର ଏରିଆଲ ଟାର୍ଗେଟକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍କ୍ଷେପଣ କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଓ ଆକଳନ ଅନୁସାରେ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିବା ସହ ପରୀକ୍ଷଣ ସଫଳ ହୋଇଛି । ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ (‘ଭିଏଲ ଏସଆରସାମ’) ସ୍ୱଦେଶୀ ଜ୍ଞାନକୌଶଳରେ ମିର୍ମାଣ ଓ ବିକଶିତ କରିଛି ଡିଆର୍ଡିଓ । ଏହି ପରୀକ୍ଷଣ ସମୟରେ ଉଭୟ ଭାରତୀୟ ନୌସେନା ଓ ଡିଆର୍ଡିଓର ବରିଷ୍ଠ ବୈଜ୍ଞାନିକ ଓ ଅଧିକାରୀ ମଧ୍ୟ ଚାନ୍ଦିପୁରରେ ଉପସ୍ଥିତ ଥିଲେ । ଏହି ପରୀକ୍ଷଣ ସଫଳତାର ସହ ଶେଷ ହେବା ସହ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଛି । ଏହି ପରୀକ୍ଷଣ ଓଡ଼ିଶା ଉପକୂଳରୁ ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ନୌସେନା ଓ ଡିଆର୍ଡିଓକୁ ଟ୍ୱିଟ୍ କରି ଶୁଭଚ୍ଛା ଜଣାଇଛନ୍ତି ।
ଏନେଇ କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଭାରତୀୟ ନୌସେନା ଏବଂ ସହଯୋଗୀ ଦଳଙ୍କୁ ‘ଭିଏଲ-ଏସଆରସାମ’ର ସଫଳ ପରୀକ୍ଷଣରେ ପ୍ରଶଂସା କରିଛନ୍ତି ଏବଂ ଏହି କ୍ଷେପଣାସ୍ତ୍ର ଭାରତୀୟ ନୌସେନା ପାଇଁ ଏକ ଶକ୍ତି ଗୁଣକ ବୋଲି ପ୍ରମାଣ କରିବ ବୋଲି କହିଛନ୍ତି । ସେହିପରି ପ୍ରତିରକ୍ଷା ବିଭାଗର ସଚିବ ଆର ଆଣ୍ଡ ଡି ଏବଂ ଚେୟାରମ୍ୟାନ୍ ଡିଆରଡିଓ ସଫଳ ପରୀକ୍ଷଣରେ ଜଡିତ ଦଳମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥାର କାର୍ଯ୍ୟକାରିତା ପ୍ରମାଣିତ ହୋଇଛି ବୋଲି କହିଛନ୍ତି। ସେହିପରି ସମୁଦ୍ର-ସ୍କିମିଂ ଟାର୍ଗେଟ ସମେତ ନିକଟବର୍ତ୍ତୀ ରେଞ୍ଜରେ ବିଭିନ୍ନ ଧମକକୁ ନିରପେକ୍ଷ କରିବା ପାଇଁ ଏହା ଭାରତୀୟ ନୌସେନାକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ।
