ପୁଣିଥରେ ଫ୍ୟାନ୍ସଙ୍କ ହୃଦୟ ଜିତିଲେ ଦ୍ରାବିଡ : କାନପୁର ପିଚ୍ ପ୍ରସ୍ତୁତକର୍ତ୍ତାଙ୍କୁ ପୁରସ୍କାର ପ୍ରଦାନ
କାନପୁର : ନବନିଯୁକ୍ତ ଭାରତୀୟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ନିଜର ନିଆରା ବ୍ୟବହାର ପାଇଁ ପୁଣିଥରେ କ୍ରିକେଟ ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛନ୍ତି । ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟରେ ଏପରି କିଛି କରିଛନ୍ତି ଦ୍ରାବିଡ । ଶିବ କୁମାରଙ୍କ ନେତୃତ୍ବରେ ଷ୍ଟାଡିୟମର ଗ୍ରାଉଣ୍ଡ୍ସମ୍ୟାନ ଟିମକୁ ଦ୍ରାବିଡ ୩୫୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି।
ପିଚ୍ ମାନ ନେଇ ଦ୍ରାବିଡ ବେଶ୍ ଖୁସି ଜାହିର କରିବା ସହ କାନପୁର ପିଚ୍ ପ୍ରସ୍ତୁତ କରିବା ପଛର ନାୟକ ମାନଙ୍କୁ ପୁରସ୍କୃତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଡିଆ ପ୍ରସ୍ତୁତକର୍ତ୍ତା ଟିମକୁ ଦ୍ରାବିଡ ୩୫୦୦୦ ଟିମ ପୁରସ୍କାର ପ୍ରଦାନ କରିଥିବା ନେଇ ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ ପକ୍ଷରୁ ଘୋଷଣା କରଯାଇଛି । ଟେଷ୍ଟ କ୍ରିକେଟ ପାଇଁ କାନପୁର ପିଚ୍ ପରଫେକ୍ଟ ୱିକେଟ ରହିଥିଲା । ନ୍ୟୁଜିଲାଣ୍ଡର ଦୁଇ ଷ୍ଟାର ଦ୍ରୁତ ବୋଲର ଟିମ ସାଉଦୀ ଓ କେଏଲ ଜେମିଏସନଙ୍କ ପ୍ରଦର୍ଶନ ପ୍ରଭାବୀ ରହିଥିଲା । ଅନ୍ୟପଟେ ଭାରତୀୟ ସ୍ପିନରଙ୍କ କମାଲ ମଧ୍ୟ ଦେଖିବାକୁ ମିଳିଥିଲା । ବ୍ୟାଟିଂରେ ଶ୍ରେୟସ ଆୟରଙ୍କ ଶତକୀୟ ଇଂନିସ ଦେଖିବାକୁ ମିଳିଛି ଓ ଦୁଇ କିୱି ଓପନରଙ୍କୁ ଶତକ ନିକଟତର ଇଂନିସ ମଧ୍ୟ ଦେଖିବାକୁ ମିଳିଛି । ଏହା ପିଚ୍ ଉଚ୍ଚମାନର ହୋଇଥିବା ପ୍ରମାଣିତ କରୁଛି ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନାଟକୀୟ ଢଙ୍ଗରେ ଡ୍ର ରେ ଶେଷ ହୋଇଛି । ପଞ୍ଚମ ଦିନରେ ଶେଷ ସେସନରେ ଭାରତ ବିଜୟ ପାଇଁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଜୟ ଠାରୁ ମାତ୍ର ଗୋଟିଏ ୱିକେଟ ଦୂରରେ ରହିଛନ୍ତି । ଦୁଇ ଭାରତୀୟ ମୂଳ ବଂଶୋଦ୍ଭବ ରଚିନ ରବିନ୍ଦ୍ର ଓ ଏଜାଜ ପଟେଲ ଭାରତର ବିଜୟକୁ ଶେଷ ପର୍ଯ୍ୟନ୍ତ ରୋକିବାରେ ସଫଳ ହୋଇଥିଲେ । ସିରିଜର ଦ୍ବିତୀୟ ତଥା ଶେଷ ଟେଷ୍ଟ ଡିସେମ୍ବର ୩ରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ।
