ଚିନ୍ତାରେ ଡ୍ରାଗନ୍, ୨୦୨୧ରେ ୮୦ ଲକ୍ଷରୁ କମ ଯୋଡି ବାହାଘର ପାଇଁ କରିଛନ୍ତି ପଞ୍ଜିକରଣ
ବେଜିଙ୍ଗ : ଚୀନରେ ଜନ୍ମ ହାର ହ୍ରାସ ପାଇବା ସହିତ ବିବାହ କରିବାକୁ ମଧ୍ୟ ଲୋକେ କୁଣ୍ଠାବୋଧ କରୁଛନ୍ତି । ଯେଉଁଥିପାଇଁ କମିବାରେ ଲାଗିଛି ବିବାହ ପଞ୍ଜିକରଣ । ଏବେ ବିଶ୍ୱର ଜନବହୁଳ ଦେଶ ଚୀନ୍ ରେ ଜନସଂଖ୍ୟା ସଙ୍କଟ ତୀବ୍ର ହୋଇଛି । ପରିସ୍ଥିତି ଏତେ ଜଟିଳ ହୋଇଯାଇଛିଯେ ଚୀନରେ ୨୦୨୧ ରେ ୩୬ ବର୍ଷ ମଧ୍ୟରେ ସବୁଠାରୁ କମ୍ ବିବାହ ପଞ୍ଜୀକରଣ ହୋଇଛି । ଅଧିକାରୀକ ରେକର୍ଡ ଅନୁସାରେ, ଚୀନରେ ୨୦୨୧ ରେ ୮୦ ଲକ୍ଷରୁ କମ ଯୋଡି ବାହାଘର ପାଇଁ ପଞ୍ଜିକରଣ କରିଛନ୍ତି ।
୨୦୨୦ ତୁଳନାରେ ୨୦୨୧ ରେ ବିବାହ କରୁଥିବା ଦମ୍ପତିଙ୍କ ସଂଖ୍ୟାରେ ୬.୧ ପ୍ରତିଶତ ହ୍ରାସ ଘଟିଛି । ଏହି ତଥ୍ୟରେ ଦର୍ଶାଇଛିଯେ ବିବାହ ପାଇଁ ଏହି ସଂଖ୍ୟା ୧୯୮୬ ପରେ ସବୁଠାରୁ କମ୍ ରହିଛି। ରିପୋର୍ଟ ଅନୁସାରେ ୨୦୨୦ ତୁଳନାରେ ବିବାହ କରିଥିବା ଯୋଡିର ସଂଖ୍ୟା ୨୦୨୧ରେ ୬.୧ ପ୍ରତିଶତ କମ୍ ରହିଛି। ଏହି ନମ୍ବର ଅନୁସାରେ ଲଗାତାର ଅଷ୍ଟମ ବର୍ଷ, ବିବାହ ହାରରେ ହ୍ରାସ ରେକର୍ଡ ହୋଇଥିବା ଜଣାପଡିଛି। ବିବାହ କରିଥିବା ଲୋକଙ୍କ ମଧ୍ୟରେ ୨୫ ରୁ ୨୭ ବର୍ଷ ଆୟୁଥିବା ଲୋକସଂଖ୍ୟା ମାତ୍ର ୩୫.୩ ପ୍ରତିଶତ। ଯାହାକି ୨୦୨୦ର ତୁଳନାରେ ୦.୪ ପ୍ରତିଶତ ଅଧିକ ଅଟେ। ସେପଟେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଚୀନ ବିଶେଷଜ୍ଞଙ୍କ ଅନୁଯାୟୀ ବିଳମ୍ବରେ ବିବାହ କରିବା ଚଳଣି ଯୋଗୁଁ ଚୀନ ଦ୍ୱାରା ୩ ସନ୍ତାନ ପାଇଁ ଅନୁମତି ନୀତି ପ୍ରଭାବିତ ହେବ। ଯାହାଦ୍ୱାରା ଜନସଂଖ୍ୟା ସମ୍ବନ୍ଧିତ ସମସ୍ୟା ଦୁର କରିବା ପାଇଁ ଚୀନର ଚିନ୍ତା ଆହୁରି ବଢିବ । ଚୀନ ଏକ ଦଶନ୍ଧି ପୁରୁଣା ଏକ ସନ୍ତାନ ନୀତିକୁ ସମାପ୍ତ କରି ସବୁ ଦମ୍ପତିଙ୍କୁ ଦୁଇଟି ସନ୍ତାନ ଜନ୍ମ କରିବାକୁ ୨୦୧୬ରେ ଅନୁମତି ପ୍ରଦାନ କରିଛି। ଗତ ବର୍ଷ ଚୀନ ଦେଶର ନିୟମ ପରିବର୍ତ୍ତନ କରିଛି, ଯେଉଁଥିରେ ଚୀନି ଦମ୍ପତିଙ୍କୁ ତିନି ସନ୍ତାନ ଜନ୍ମ କରିବାର ଅନୁମତି ଦିଆଯାଇଛି । ଚୀନରେ ୨୦୨୦ର ଜନଗଣନା ଅନୁସାରେ ଜଣାପଡିଛି ଯେ ଦେଶର ଜନସଂଖ୍ୟା ଅତ୍ୟନ୍ତ ଧିର ଗତିରେ ବୃଦ୍ଧି ପାଇଛି।
