ଡାକ୍ତର ନବକିଶୋର ପ୍ରଧାନଙ୍କ ଲିଖିତ ‘କିଏ ସେ ଡାକୁଛି’ ପୁସ୍ତକ ଉନ୍ମୋଚିତ
ବାଲେଶ୍ୱର : ବାଲେଶ୍ୱର ସହର ପାଣିଟାଙ୍କି ସ୍ଥିତ ଆତିଥ୍ୟ ଭବନରେ ଡା. ନବକିଶୋର ପ୍ରଧାନଙ୍କ ଲିଖିତ କବିତା ପୁସ୍ତକ ‘କିଏ ସେ ଡାକୁଛି’ ଉନ୍ମୋଚିତ ହୋଇଛି । ମୁଖ୍ୟଅତିଥି ଭାବେ ଡ. ରମାକାନ୍ତ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ପରେ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁସ୍ତକଟିକୁ ଲୋକାର୍ପଣ କରାଯାଇଥିଲା ।
ପ୍ରାଧ୍ୟପକ ପ୍ରଦୀପ୍ତ ମିଶ୍ର ମଞ୍ଚ ଆହ୍ୱାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଡ. ବେହେରା ପୁସ୍ତକଟିରେ ଉପସ୍ଥାପନା ହୋଇଥିବା ବିଷୟକୁ ବିଶ୍ଳେଷଣ କରି କବିତାଗୁଡ଼ିକ ଅତ୍ୟନ୍ତ ମନୋବିଜ୍ଞାନ ଯୁକ୍ତ ଅଟେ । ଯାହା ପାଠକଙ୍କ ମନକୁ ଖୁବ୍ ଆକର୍ଷଣ କରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ, କବି ପ୍ରଶାନ୍ତ ଦାସ, ଫକୀରମୋହନ ବିଶ୍ୱବିଦ୍ୟାଳୟର ଗବେଷକ ଡ. ଦେବାଶିଷ ପାତ୍ର, ରାଜ୍ୟ ସାହିତ୍ୟ ଏକାଡ଼େମୀ ସଦସ୍ୟ କାଳିପଦ ପଣ୍ଡା ପ୍ରମୁଖ ଯୋଗଦେଇ ଭିନ୍ନ ଏକ ରଚନା ସମ୍ବଳିତ ଏହି ପୁସ୍ତକ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ । ଲେଖକ ଡା. ପ୍ରଧାନ ପୁସ୍ତକରେ ନିଜର ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଲଗାତର ଭାବେ ୨ବର୍ଷ ମଧ୍ୟରେ ୨ଟି କବିତା ପୁସ୍ତକ ଲୋକାର୍ପଣ କରିଥିବା ନେଇ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ଲେଖକଙ୍କ ପରିବାର ସମେତ ବନ୍ଧୁବାନ୍ଧବ, ବିଶିଷ୍ଟ କବି, ଲେଖକ ତଥା ସାହିତ୍ୟିକ ଉପସ୍ଥିତ ଥିଲେ ।
