ବିଶ୍ୱ ପିତୃ ଦିବସର ଅନୁଚିନ୍ତା ! ପିତା ଧର୍ମ, ପିତା ସ୍ୱର୍ଗଃ, ପିତାହିଁ ପରମ ତପଃ…
ପିତା ଧର୍ମ, ପିତା ସ୍ୱର୍ଗଃ, ପିତାହିଁ ପରମ ତପଃ । ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବ ଦେବତାଃ । ଅର୍ଥାତ୍ ପିତା ହେଉଛନ୍ତି ଧର୍ମ, ପିତା ହେଉଛନ୍ତି ସ୍ୱର୍ଗ ଏବଂ ପିତାଙ୍କୁ ସନ୍ତୁଷ୍ଟ କଲେ ସମସ୍ତ ଦେବୀଦେବତାମାନେ ସନ୍ତୁଷ୍ଟ ହୁଅନ୍ତି । ଏ ଦେଶ ହେଉଛି ମୁନିଋଷିଙ୍କ ଦେଶ । ସେମାନେ ନିଜର ଦୂରଦୃଷ୍ଟି ବଳରେ ରଚନା କରିଯାଇଛନ୍ତି ମହାନ ଗ୍ରନ୍ଥ ସବୁ । ଯାହାକୁ ଅଧ୍ୟୟନ କରି କାର୍ଯ୍ୟରେ ଲଗାଇଲେ ସମାଜ ହୁଏ ସୃଙ୍ଖଳିତ ଓ ଶାନ୍ତିପ୍ରଦ । ମଣିଷ ଜୀବନ ହୁଏ ସଫଳ ଓ ସାକାର ।
ବିଶ୍ୱ ପିତୃ ଦିବସ ୧୯୧୦ ମସିହାରୁ ପ୍ରତ୍ୟେକ ବର୍ଷ ଜୁନ୍ ମାସର ୩ୟ ରବିବାର ଦିନ ପାଳନ କରାଯାଇ ଆସୁଛି । ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, କାନାଡା, ଭାରତବର୍ଷ ପ୍ରଭୃତି ଅନେକ ଦେଶରେ ଚଳିତବର୍ଷ ଜୁନ ୧୯ ତାରିଖରେ ପାଳନ କରାଯିବ । ଉଦ୍ଦେଶ୍ୟ ପିତାଙ୍କ ପ୍ରତି ପୁତ୍ରର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସଚେତନ ଓ ସ୍ମରଣ କରାଇବା । ଆଜି ଯିଏ ପୁତ୍ର କାଲି ସେ ପିତା ହୋଇଥାଏ । ଆଜି ଯଦି ପୁତ୍ର ତାର ପିତାଙ୍କ ପ୍ରତି ସମୁଚିତ କର୍ତ୍ତବ୍ୟ ନ କରେ, ତେବେ ସେ ତା’ର ପୁତ୍ରଠାରୁ ସେହିଭଳି ଆଚରଣ ପାଇବା ପାଇଁ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ । ଏ କଥା ବେଳ ଥାଉଁ ଥାଉଁ ବୁଝିଗଲେ ଜୀବନ ଅମୃତମୟ ହୋଇଯାଏ । ନ ବୁଝିଲେ ସମୟ କେବେ ତାକୁ କ୍ଷମା କରେ ନାହିଁ ।
କୋଳକୁ ସନ୍ତାନଟିଏ ପାଇଁ ବାପ-ମାଆ ବାର ବ୍ରତ ତେର ଓଷା କରନ୍ତି । ସନ୍ତାନଟିଏ କୋଳକୁ ଆସିଲେ ତାର ଲାଳନ ପାଳନରେ ନିଜକୁ ସମର୍ପି ଦିଅନ୍ତି । ପେଟରୁ କାଟି ମୁହଁରେ ଆହାର ଦିଅନ୍ତି । ତା ଅଳି ଅଝଟ ହସି ହସି ସହନ୍ତି । ଛୁଆ ମୁହଁରେ ହସ ଦେବା ପାଇଁ ନିଜ ଜୀବନର ସବୁ ସୁଖକୁ ଜଳାଞ୍ଜଳି ଦେଇ ଦିଅନ୍ତି । ପୁଅ ବଡ ହେବ, ଉଚ୍ଚ ଶିକ୍ଷିତ ହେବ, ବୃଦ୍ଧକାଳେ ସାହାରା ହେବ । କିନ୍ତୁ ବାପା-ମାଆ ଙ୍କ ସବୁ ଆଶା ପାଣି ଫୋଟକା ପରି ମିଳାଇ ଯାଏ ଯେତେବେଳେ ସନ୍ତାନଟି ବାହା ହେବା ପରେ ଜନ୍ମଦାତା ପିତାମାତାଙ୍କୁ ହାତାଦର କରେ ।
ଏକ କ୍ଷୁଦ୍ରଗଳ୍ପ ଯାହା ଆମ ସମୟରେ ପାଠ୍ୟଖସଡାରେ ଥିଲା ତାହା ହେଲା କଥା ସମ୍ରାଟ ବ୍ୟାସକବି ଫକିର ମୋହନଙ୍କ ‘ଡାକମୁନ୍ସୀ’ । ଡାକ ପିଅନ ହରି ସିଂ ତାର ସ୍ୱଳ୍ପ ଦରମାରେ ପୁଅ ଗୋପାଳକୁ ଇଂରାଜୀ ପଢାଇ ହାକିମ କରାଇବ ଦିନ ରାତି ନିଦ ନ ଥାଏ । ପତ୍ନୀ ଚାଲିଯିବା ପରେ ହରି ସିଂ ପୁଅ ଗୋପାଳକୁ ମଫସଲରୁ ଆଣି ତା ନିଜ ପାଖରେ ରଖି ମାଇନର ପାଠ ପଢାଇଛି । ଗୋପାଳ କିପରି ହାକିମ ଚାକିରି ପାଇବ ପାଞ୍ଚ ଲୋକରେ ଜଣେ ହେବ ଭଲରେ ଖାଇ ଭଲରେ ଚଳିବ ସେହି ଚିନ୍ତାରେ ବୁଢାକୁ ନିଦ ନ ଥାଏ । ହରି ସିଂ ର ଅବସର ସମୟ ହୋଇ ଗଲାଣି । ସେ ତାର ଅଫିସ୍ର ଇଂରେଜୀ ସାହେବଙ୍କୁ ବହୁ କାକୁତି ମିନତି ହୋଇ ଗୋପାଳ ବିଷୟରେ ଖଣ୍ଡେ ଚାକିରି କରେଇ ଦେବାକୁ କହି ବିନତୀ କରିଛି । ଗୋପାଳ ର ଚାକିରି ହୋଇଗଲେ ତା’ର ଦୁଃଖ ଯିବ । ସାହେବ ହରି ସିଂ ର ସଚ୍ଚୋଟ ପଣିଆ ଓ ଦୁଃଖ ଦେଖି ଗୋପାଳ ପାଇଁ ଚାକିରି ର ବ୍ୟବସ୍ଥା କରାଇ ଦେଇଛନ୍ତି । ପୁତ୍ର ଗୋପାଳ ହାକିମ ଚାକିରି ପାଇବା ପରେ ତା’ର ଚାଲିଚଳନରେ ପରିବର୍ତ୍ତନ ହୋଇଛି, ନିଜ ଇଛାରେ ବିବାହ କରିଛି । ଦେହରେ କୁର୍ତ୍ତା ନ ଥିବା, ମଇଳା ଲୁଗା ପିନ୍ଧି ଅଫିସ୍ ର ସହକର୍ମୀ ଓ ଦାମୀପୋଷାକ ପିନ୍ଧା ମହିଳାଙ୍କ ଆଗରେ ଯାତାୟତ ପୁତ୍ର ଗୋପାଳକୁ ବୃଦ୍ଧ ପିତାଙ୍କର ଏପରି କାର୍ଯ୍ୟକଳାପ ପାଇଁ ଲଜ୍ଜା ଲାଗିଛି । ନିଦ୍ରାରେ ବ୍ୟାଘାତ ହେଉଛି ବୋଲି ପିଅନକୁ ଡାକି ଖୁଁ ଖୁଁ କାଶୁ ଥିବା ବୁଢାଟାକୁ କିଆବୁଦା ଉପରେ ପକାଇ ଦେବାକୁ ଆଦେଶ ଦେଇଛି । ମାତ୍ର ପିଅନ ହେଲେ ବି ସେ ଜଣେ ମଣିଷ, ଜଣେ ଅସୁସ୍ଥ ବୃଦ୍ଧଙ୍କ ପ୍ରତି ସେ ଏପରି ଅନ୍ୟାୟ କରି ପାରିବ ନାହିଁ । ଶେଷରେ ପୁତ୍ର ଗୋପାଳ ଇଂରାଜୀ ଘୁଷି ମାରି ବୃଦ୍ଧ ପିତା ହରି ସିଂଙ୍କୁ ଘରୁ ବାହାର କରିଦେଇଛନ୍ତି । ସମାଜରେ ଶିକ୍ଷିତ ହୋଇ ପ୍ରତିଷ୍ଠିତ ହେବାପରେ ନିଜର ସୁଖ ସ୍ୱାଛନ୍ଦ୍ୟକୁ ପ୍ରାଧାନ୍ୟ ଦେଇ କିପରି ପିତା ପୁତ୍ରର ସଂପର୍କ ବିଗିଡି ଯାଉଛି ଲେଖକ ତାହାର ଜ୍ୱଳନ୍ତ ଉଦାହରଣ ତାଙ୍କ ଲେଖନୀ ମୁନରେ ସ୍ଥାନ ଦେଇଛନ୍ତି ।
ଆମ ପୁରାଣ କହନ୍ତି, ସେ ଦିନ ପିତା ଜମଦଗ୍ନୀଙ୍କ ଆଦେଶରେ ପୁତ୍ର ପର୍ଶୁରାମ ବିନା ପ୍ରଶ୍ନରେ ମାତା ରେଣୁକାଙ୍କର ଶିର ଛେଦନ କରିଥିଲେ । ପିତାମାତାଙ୍କୁ ସୁଖଦେବା ପାଇଁ ଅନ୍ଧ ପିତାମାତାଙ୍କୁ କାନ୍ଧରେ ଭାର କରି ତୀର୍ଥକ୍ଷେତ୍ର ବୁଲାଇବାକୁ ନେଉଥିଲେ । ପିତାଙ୍କ ସତ୍ୟ ରକ୍ଷା କରିବାକୁ ଯାଇ ଅଯୋଧ୍ୟାର ରାଜ ସିଂହାସନ ତ୍ୟାଗ କରି ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ କରିଥିଲେ । ପିତାଙ୍କର ସୁଖ ପାଇଁ ଦେବବ୍ରତ ଭୀଷପ୍ରତିଜ୍ଞା କରି ଆଜୀବନ ବ୍ରହ୍ମଚାରୀ ହୋଇଥିଲେ । ଯକ୍ଷ ପ୍ରଶ୍ନର ଉତ୍ତର ଦେଇ ଯୁଧିଷ୍ଠିର କହିଥିଲେ ପିତା ହେଉଛନ୍ତି ଆକାଶ ଠାରୁ ବଡ ।
ଶାସ୍ତ୍ରରେ ଅଛି କୌଣସି ପୁରୁଷଙ୍କୁ ତିନୋଟି ଋଣ ନ ସୁଝି ମରିବା ଉଚିତ୍ ନୁହେଁ । ତିନି ଋଣ ହେଲା, ଦେବଋଣ, ଋଷି ଋଣ ଓ ପିତୃଋଣ । ଦେବ ଋଣ ଦାନ ଦ୍ୱାରା, ଋଷି ଋଣ ଜ୍ଞାନ ଦ୍ୱାରା ଓ ପିତୃ ଋଣ ସନ୍ତାନ ଦ୍ୱାରା ସଂପାଦନ ହୋଇଥାଏ । ପୁତ୍ରାର୍ଥେ କ୍ରୀୟତେ ଭାର୍ଯ୍ୟା । ପିତୃ ପୁରୁଷମାନେ ପୁତ୍ର ଦ୍ୱାରା ଦିଆଯାଉଥିବା ଶ୍ରାଦ୍ଧ ଦ୍ୱାରା ପୁତ୍ ନାମକ ନର୍କରୁ ଉଦ୍ଧାର ପାଇ ଥାଆନ୍ତି । ଭାଦ୍ରପୂର୍ଣ୍ଣିମାଠାରୁ ଆଶ୍ୱିନମାସ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ସମୟକୁ ପିତୃପକ୍ଷ କୁହାଯାଏ । ଏହାକୁ ମହାଳୟା ବୋଲି କହୁଯାଏ । ଆମଦେଶରେ ମହାଳୟା ପିତୃ ଶ୍ରାଦ୍ଧ ଓ ତର୍ପଣ ଆଦି ବହୁ ପୁରାତନ କାଳରୁ ପ୍ରଚଳିତ ।
ମହାଭାରତରେ ମହାଦାନୀ କର୍ଣ୍ଣ ପିତୃପକ୍ଷ ପାଳନ କରି ନ ଥିବାରୁ ତାଙ୍କ ପାଇଁ ଯମ ଦ୍ୱାର ବନ୍ଦ ହୋଇ ଯାଇଥିଲା । ସେଥିପାଇଁ ତାଙ୍କୁ ମର୍ତ୍ତ୍ୟକୁ ଫେରିବାକୁ ପଡିଥିଲା । ସେ ମର୍ତ୍ତ୍ୟଲୋକକୁ ଫେରି ପିତୃପକ୍ଷ ପାଳନ କରିବା ପରେ ଯମଲୋକୁ ଫେରିଥିଲେ । ମୃତ୍ୟୁପରେ ମନୁଷ୍ୟ ଯେତେବେଳେ ତାର ଶରୀର ତ୍ୟାଗ କରେ ସେତେବେଳେ ତାର ଆତ୍ମା ପ୍ରେତଯୋନିରେ ପ୍ରବେଶ କରେ । ମୃତ୍ୟୁପରଠାରୁ ୧୨ଦିନ ପର୍ଯ୍ୟନ୍ତ ମୃତବ୍ୟକ୍ତି ଉଦ୍ଦେଶ୍ୟରେ ଶ୍ରଦ୍ଧାଯୁକ୍ତ ଶ୍ରାଦ୍ଧ ଓ ପିଣ୍ଡଦାନ କରାଗଲେ ସେ ପିତୃଲୋକରେ ପ୍ରବେଶ କରେ ।
ବ୍ରହ୍ମପୁରାଣରେ ଲେଖା ଅଛି ଯେ ଆଶ୍ୱିନମାସର କୃଷ୍ଣପକ୍ଷରେ ଯମରାଜ ସମସ୍ତ ପିତୃମାନଙ୍କୁ ୧୫ଦିନ ପାଇଁ ମୁକ୍ତି ପ୍ରଦାନ କରିଥାଆନ୍ତି ଯାହାଦ୍ୱାରା ସେମାନେ ନିଜ ସନ୍ତାନମାନଙ୍କ ଠାରୁ ପିଣ୍ଡଦାନ ପାଇଁ ଧରାପୃଷ୍ଠକୁ ଆସିପାରିବେ । କର୍ମପୁରାଣରେ କୁହାଯାଇଛି ଯେ ଏହି ୧୫ଦିନ ମଧ୍ୟରେ ଯଦି ପିତୃପୁରୁଷଙ୍କୁ ତର୍ପଣ ଶ୍ରାଦ୍ଧ ନ କରାଯାଏ ତେବେ ସେମାନେ ନିରାଶ ହୋଇ ପୁଣି ପିତୃଲୋକକୁ ଫେରିଯାଆନ୍ତି । ପିତୃପକ୍ଷରେ ୧୫ଦିନ ନିଜର ପିତୃପୁରୁଷଙ୍କୁ ଶ୍ରଦ୍ଧା ଓ ଭକ୍ତି ଦ୍ୱାରା ତର୍ପଣ ଶ୍ରାଦ୍ଧରେ ପିତୃପୁରୁଷ ଖୁସି ହୋଇଥାଅନ୍ତି ଓ ତାଙ୍କ କୃପାରୁ ପୁତ୍ରର ସୁଖ-ସମୃଦ୍ଧି ଲାଭ ହୁଏ । ସନାତନ ସଂସ୍କୃତିରେ ପିତାଙ୍କୁ ସମାଜରେ ସର୍ବୋଚ ସ୍ଥାନ ଦିଆଯାଇଛି । ପିତୃଦେବୋଃ ଭବଃ ।
ପିତାଙ୍କୁ ଦେବତା କୁହାଯାଇଛି । କୌଣସି ପିତା କେବେ ଚାହାଁନ୍ତି ନାହିଁ ସେମାନଙ୍କର ସନ୍ତାନ ବିପଥଗାମୀ ହେଉ । ମାତ୍ର ବର୍ତ୍ତମାନ ସମ୍ବାଦପତ୍ର ପୃଷ୍ଠା ଖୋଲିଲେ ଆପଣ ଦେଖିବାକୁ ପାଇବେ ବୃଦ୍ଧ ପିିତାମାତାଙ୍କର କରୁଣ କାହାଣୀ । କେଉଁଠି ଭାଇଭାଇ ମଧ୍ୟରେ ବିବାଦ ଲାଗି ବୃଦ୍ଧପିତା ମାତାଙ୍କୁ ଭାଗ କଲେଣି ତ କେଉଁଠି ଧନ ବା ଜମି ପାଇଁ ବୃଦ୍ଧ ପିତାଙ୍କୁ ଟାଙ୍ଗିଆରେ ହାଣି ଜୀବନରୁ ସଫା କରିଦେଲେଣି । ଏହା କେବଳ ଅଶିକ୍ଷିତ ସମାଜ ନୁହେଁ ବରଂ ଶିକ୍ଷିତ ସମାଜରେ ଅଧିକ ଦେଖିବାକୁ ମିଳୁଛି । ଶିକ୍ଷିତ ସମାଜରେ ବୃଦ୍ଧ ପିତାମାତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଇ ନିଜର କର୍ତ୍ତବ୍ୟ ସଂପାଦାନ କରୁଛନ୍ତି । ବର୍ତ୍ତମାନ ପାଠ୍ୟଖସଡାରେ ଆଉ ସେମିତି ହୃଦୟକୁ ଛୁଇଁଲାଭଳି ପାଠ ପଢାଯାଉ ନାହିଁ । ଇଂରାଜୀ ପାଠ ପଢାଇ ବିଦେଶରେ ଚାକିରି କରି ବିପୁଳ ଅର୍ଥ ଉପାର୍ଜନ କରିବାପାଇଁ ପଠାଇ ଦେଉଛୁ । କାରଣ ଆମେ ଶିକ୍ଷିତ ହୋଇ ଜାଣିଲେଣି ଅର୍ଥ ଦ୍ୱାରା ସବୁକିଛି ଆହରଣ କରାଯାଇ ପାରିବ । ପିଲାଙ୍କୁ ଟଙ୍କା ରୋଜଗାର ମେସିନ କରିବା ପାଇଁ ସମସ୍ତେ ତତ୍ପର । ପିଲା ବିଦେଶରେ ନିଜ ପସନ୍ଦର ବିଦେଶିନୀ ବିବାହ କରି ବିଦେଶୀ ସଂସ୍କୃତିରେ ଚଳିବାକୁ ଉଚିତ୍ ମଣୁଛିି । କେତେକ ମାତୃଭମୀ, ପିତାମାତାଙ୍କୁ ଭୁଲି ସଂସାର ଭିତରେ ବୁଡି ବିଦେଶରେ ରହିଯାଉଛନ୍ତିି । ସଂସ୍କୃତି ସଂସ୍କାର ସମନ୍ଧରେ ପିଲାଙ୍କୁ ଶିକ୍ଷାପ୍ରଦାନ କରାଯାଉ ନାହିଁ । କିପରି ଭଲ ରୋଜଗାର କରି ବିଳାସ ବ୍ୟସନ ସାମଗ୍ରୀ କିଣି ବସ୍ତୁବାଦୀ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବେ ଆମେ ସେ ଦିଗରେ ସତତ ଚେଷ୍ଟିତ । ଗୁୁରୁକୁଳ ସଂସ୍କୃତିକୁ ଭୁଲି ଇଂରାଜୀ ଢାଞ୍ଚାରେ ପିଲାଙ୍କୁ ପାଠ ପଢାଇ ହାକିମ କରିବାର ଇଛା ଆମକୁ ଆଣି ଏହିଠାରେ ଦଣ୍ଡାୟମାନ କରିଛି । ପିଲାମାନେ ମାଟି ପିତୁଳା, ସେମାନଙ୍କୁ ଯେପରି ଶିକ୍ଷାଦାନ କରାଯିବ ସେମାନେ ସେପରି ହେବେ । ଆମେ ପିଲାଙ୍କୁ ଶିକ୍ଷିତ କରିଛୁ ସତ୍ୟ ମାତ୍ର ସଂସ୍କୃତି ସଂପର୍ଣ୍ଣ କରିପାରି ନାହୁଁ । ପିଲାଙ୍କୁ ବଡ ମଣିଷ କରିଛୁ ସତ୍ୟ କିନ୍ତୁ ଭଲ ମଣିଷ କରିପାରିନାହୁଁ । ଯାହାର ପରିଣାମ ଆମକୁ ହିଁ ଭୋଗିବାକୁ ପଡୁଛି । ତେଣୁ ବେଳ ଥାଉଁ ଥାଉଁ ବନ୍ଧନ ନ ବାନ୍ଧିଲେ, ବିଚାର ବିଗିଡି ଯିବ ।
