ଆଜିଠୁ ଚିଲିକାରେ ଡଲଫିନ ଗଣନା; ୧୮ ଟିମ୍ ସହ ୧୬୦ କର୍ମଚାରୀ ସାମିଲ
ଚିଲିକା : ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ- ସିଡ଼ିଏଙ୍କ ମିଳିତ ଆନୁକୂଲ୍ୟରେ ଆଜିଠାରୁ ତିନି ଦିନ ଯାଏଁ ସମଗ୍ର ଚିଲିକାରେ ଇରାୱାଡ଼ି ପ୍ରଜାତିର ଡ଼ଲଫିନ ଗଣନା ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲୁଗାଁ ଚିଲିକା କୂଳ ସ୍ଥିତ ବନ୍ୟପ୍ରାଣୀ ବିଭାଗ କାର୍ଯ୍ୟାଳୟ ପରିସରରେ ଗଣନାକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସିଡିଏର ବରିଷ୍ଠ ବୈଜ୍ଞାନିକ ଗୁରୁଦୀପ ରସ୍ତୋଗୀ, ପ୍ରଦୀପ୍ତ ରଂଜନ ମୁଦୁଲୀ ଏବଂ ବିନୋଦ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଚିଲିକାରେ ନିର୍ଭୁଲ ଡଲଫିନ୍ ଗଣନା ପାଇଁ ତାଲିମ ପ୍ରଦାନ କରିଥିଲେ ।
ବନବିଭାଗ ଓ ସିଡିଏର ମିଳିତ ଉଦ୍ୟମରେ ଚିଲିକାରେ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଗଣନା କାର୍ଯ୍ୟରେ ୧୮ଟି ଟିମ୍ ସହ ମୋଟ ୧୬୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି । ଚିଲିକାର ସାତପଡ଼ା ରେଞ୍ଜରୁ ୮ଟି ଏବଂ ବାଲୁଗାଁ ରେଞ୍ଜରୁ ୧୦ ଟିମ ଦ୍ୱାରା ଆରମ୍ଭ ହୋଇଛି ଗଣତି କାର୍ଯ୍ୟ। ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଏହି ଗଣନା କାର୍ଯ୍ୟରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡ଼ଲଫିନ ବିଶେଷଜ୍ଞ, ସ୍ବେଚ୍ଛାସେବୀ ଏବଂ ପରିବେଶବିତଙ୍କ ସହିତ ଜଣେ ଡଙ୍ଗା ଚାଳକ ରହିଛନ୍ତି । ଗୋଟିଏ ଟିମ୍ ୫ରୁ ୬ ଜଣ ରହିଛନ୍ତି। ବାଇନାକୁଲାର, ଜିପିଏସ, ଏବଂ ରେଞ୍ଜ ଫାଇଣ୍ଡର ମାଧ୍ୟମରେ ଗଣତି କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।
