ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା! ପ୍ରଥମ ଥର ଗୋଟିଏ ଡଲାରର ମୂଲ୍ୟ ୮୨ଟଙ୍କା ୩୩ ପଇସା
ନୂଆଦିଲ୍ଲୀ : ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା । ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଲା ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ । ପ୍ରଥମ ଥର ପାଇଁ ଶୁକ୍ରବାର ୮୨ ଟଙ୍କା ଅତିକ୍ରମ କରିଛି ଡଲାର ମୂଲ୍ୟ । ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସା ହୋଇଯାଇଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିବା ଦ୍ବାରା ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଥାଏ । ଆମଦାନୀ କରାଯାଉଥିବା ସାମଗ୍ରୀ ପାଇଁ ଅଧିକ ଡଲାର ଦେବାକୁ ପଡିଥାଏ । ଏହାସହିତ ବିଦେଶ ପିଲାଙ୍କ ପାଠପଢା ଖର୍ଚ୍ଚ ମଧ୍ୟ ମହଙ୍ଗା ହୋଇଥାଏ ।
ଶୁକ୍ରବାର ସକାଳ ସାଢେ ୯ଟାରେ ଟଙ୍କା ୦.୫% ହ୍ରାସ ସହ ଡଲାର ତୁଳନାରେ ୮୨.୩୦ରେ କାରବାର କରିଥିଲା । ଏହାପୂର୍ବରୁ ଟଙ୍କା ୮୧.୮୯ରେ କାରବାର ବନ୍ଦ କରିଥିଲା । ଆଜି ମୁଦ୍ରା ବଜାରରେ ଟଙ୍କା ୮୨.୧୯ରେ ଖୋଲିଥିଲା ଏବଂ ସର୍ବନିମ୍ନ ୮୨.୩୩ ସ୍ତରକୁ ଖସି ଯାଇଥିଲା । ଚଳିତ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଟଙ୍କାରେ ୧୦%ରୁ ଅଧିକ ହ୍ରାସ ଆସିଛି । ୨୦୨୨ରେ ଟଙ୍କାର ବିନିୟମ ମୂଲ୍ୟ ୧୦.୬୦% କମିଯାଇଛି । ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ଲଗାତାର ସୁଧବାର ବୃଦ୍ଧି କରୁଥିବାରୁ ଡଲାର ମଜବୁତ ହେବାରେ ଲାଗିଛି । ଏହି କାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡିକର ଅବମୂଲ୍ୟାୟନ ଜାରି ରହିଛି । ଏହାପୂର୍ବରୁ ଗୁରୁବାର ଅଶୋଧିତ ତୈଳ ଏବଂ ଡଲାର ସୂଚକାଙ୍କ ମଜବୁତ ଥିବାରୁ ଆମେରିକୀୟ ମୁଦ୍ରା ତୁଳନାରେ ଟଙ୍କା ୫୫ ପଇସା ହ୍ରାସ ପାଇ ସର୍ବନିମ୍ନ ୮୨.୧୭ ସ୍ତରରେ ପହଞ୍ଚିଥିଲା । ଯାହାକି ଆଜି ୮୨.୩୩ ସ୍ତରରେ ପହଞ୍ଚି ନୂଆ ରେକର୍ଡ କରିଛି । ଅନ୍ୟପଟେ ଟଙ୍କାର ଲଗାତାର ଅବମୂଲ୍ୟାୟନକୁ ନେଇ ବିଜେପି ସରକାରକୁ ଘେରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ପୁରୁଣା ଭିଡିଓକୁ ସେୟାର କରି କଂଗ୍ରେସ ସମାଲୋଚନା କରିଛି ।
