ବିଳମ୍ବରେ ଆସିଲେ ଡାକ୍ତର, ଚପଲରେ ପିଟିଲେ ବ୍ୟବସାୟୀ
ସମ୍ବଲପୁର : ସମ୍ବଲପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଡାକ୍ତର ଆସିବାରେ ବିଳମ୍ବ କରିବାରୁ ଚପଲରେ ପିଟିଲେ ବ୍ୟବସାୟୀ । ଏହାର ବିରୋଧ କରିବାରୁ ମହିଳା ଟେକ୍ନିସିଆନଙ୍କୁ ଦୁର୍ବ୍ୟବହାର କରିବା ସହ ବ୍ୟବସାୟୀ ଜଣକ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ଆଉ ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସମ୍ବଲପୁର ଟାଉନଥାନା ଅଞ୍ଚଳରେ ବ୍ୟବସାୟୀଙ୍କ ଏହି ଦବଙ୍ଗଗିରି ଚର୍ଚ୍ଚାର ବିଷୟ ପାଲଟିଛି ।
ଆକ୍ରମଣର ଶିକାର ହୋଇଥିବା ଡା. ହେଉଛନ୍ତି ଚିଦାନନ୍ଦ ମିଶ୍ର । ସେ ସନ ଡାଇଗ୍ନୋଷ୍ଟିକରେ ରେଡିଓଲୋଜିଷ୍ଟ ଭାବେ କାମ କରନ୍ତି । ଗତ ମଙ୍ଗଳବାର ସମ୍ବଲପୁରର ବ୍ୟବସାୟୀ ନଟବର ବାଙ୍କୀ ସିଟି ସ୍କାନ କରିବାକୁ ସନ ଡାଇଗ୍ନୋଷ୍ଟିକକୁ ଆସିଥିଲେ । ଡା. ଆସିନଥିବାରୁ ସେ ଅପେକ୍ଷା କରିଥିଲେ । ଡାକ୍ତର ସକାଳ ୧୦ଟାରେ ପହଞ୍ଚିବା ପରେ ନଟବର ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ଚପଲରେ ମାଡ ମାରିଥିଲେ । ମହିଳା ଟେକ୍ନିସିଆନ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତର ଚିଦାନନ୍ଦ ମିଶ୍ର ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ନଟବରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।
