ଏହି ବିଧିରେ କରନ୍ତୁ ଶରତ ପୂର୍ଣ୍ଣିମା ବ୍ରତ ! ମିଳିବ ମା’ ଲକ୍ଷ୍ମୀଙ୍କର କୃପା, ହେବେ ଦୀର୍ଘାୟୁ
ଆସନ୍ତା ୯ ତାରିଖ ରବିବାର ପାଳିତ ହେବାକୁ ଯାଉଛି ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ଉତ୍ସବ । ଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଶରତ ପୂର୍ଣ୍ଣିମା ବ୍ରତ ବିଧି-ବିଧାନର ସହ ଏବଂ ପୂର୍ଣ୍ଣ ଶ୍ରଦ୍ଧା ସହକାରେ କରନ୍ତି ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ହୋଇଥାଏ ଏବଂ ସେମାନେ ଦୀର୍ଘାୟୁ ହୋଇଥାଆନ୍ତି।
ପୁରାଣ କିମ୍ବଦନ୍ତୀ ଅନୁସାରେ ଆଜି କେବଳ ଗୋଟିଏ ଦିନ ଚନ୍ଦ୍ରମା ଷୋଳ କଳାରେ ପରିପୂର୍ଣ୍ଣ ଥାନ୍ତି । ବିଶ୍ୱାସ ରହିଛି ଆଜି ରାତ୍ରିରେ ଚନ୍ଦ୍ରମାଙ୍କ ଠାରୁ ଅମୃତ ବର୍ଷା ହୋଇଥାଏ ।
ଏହି ବିଧିରେ କରନ୍ତୁ ବ୍ରତ :
ଶରତ ପୂର୍ଣ୍ଣିମା ସକାଳେ ସ୍ନାନ କରିବା ପରେ ନିଜ ଆରାଧ୍ୟ ଦେବତାଙ୍କ ପୂଜା କରନ୍ତୁ। ଯଦି ଆପଣ ନିଜେ କରିପାରୁ ନାହାନ୍ତି ତେବେ ଯୋଗ୍ୟ ବ୍ରାହ୍ମଣଙ୍କ ଦ୍ବାରା କରନ୍ତୁ।
ମଧ୍ୟରାତ୍ରିରେ ଗାଈ କ୍ଷୀରରୁ ପ୍ରସ୍ତୁତ କ୍ଷୀରି ଭୋଗ ଭଗବାନଙ୍କୁ ଅର୍ପଣ କରନ୍ତୁ। କ୍ଷୀରି ପାତ୍ରକୁ ରାତିରେ ଜହ୍ନ ଆଲୁଅରେ ରଖିବା ଉଚିତ୍।
ଏଥିରେ ରାତିରେ ଜହ୍ନ କିରଣରୁ ଅମୃତ ପଡ଼ିଥାଏ ବୋଲି ବିଶ୍ବାସ ରହିଛି। ପୂର୍ଣ୍ଣ ଚନ୍ଦ୍ରର ମଧ୍ୟାକାଶରେ ରହିବାଦ୍ବାରା ଏହାକୁ ପୂଜା କରି ଅର୍ଘ୍ୟ ପ୍ରଦାନ କରିବା ଉଚିତ୍।
ଏହି ଦିନ କଂସା ବାସନରେ ଘିଅ ଭର୍ତ୍ତି କରି ସୁନା ସହିତ ବ୍ରାହ୍ମଣକୁ ଦାନ କରିବା ଦ୍ବାରା ବ୍ୟକ୍ତି ଓଜସ୍ବୀ ହୋଇଥାଆନ୍ତି। ଏପରି ଧର୍ମ ଶାସ୍ତ୍ରରେ ଲେଖାଯାଇଛି।
ବ୍ରତର ମହତ୍ୱ :
ଶ୍ରୀକୃଷ୍ଣଙ୍କ ସବୁ ଲୀଳାକୁ ରାସ କୁହାଯାଏ । ଶରତ ପୂର୍ଣ୍ଣିମାରେ ଯମୁନା ନଦୀ କୂଳରେ ଥିବା ବଂଶୀ ବଟରେ କାହ୍ନାଜୀ ପୁରା ରାତି ନୃତ୍ୟ କରିଥିଲେ, ଯାହାକୁ ମହାରାସ କୁହାଯାଏ ।
ଶାସ୍ତ୍ର ଅନୁସାରେ ଏହି ମହାରାସର ମହତ୍ୱ ଏତେ ଅଦ୍ଭୁତ ଯେ ଚନ୍ଦ୍ରମା ବି ଏହାକୁ ଦେଖିବା ପାଇଁ ନିଜର ଗତିକୁ ସ୍ଥିର କରିଦେଇଥିଲେ । ଫଳରେ କେତେ ମାସ ଧରି ସକାଳ ହୋଇନଥିଲା ।
କୁହାଯାଏ ଶ୍ରୀକୃଷ୍ଣଜୀ ଏହି ରାତିକୁ ବ୍ରହ୍ମାଜୀଙ୍କ ରାତି ଭଳି ଲମ୍ବା କରିଦେଇଥିଲେ । ପୁରାଣ ଅନୁଯାୟୀ ବ୍ରହ୍ମାଙ୍କ ରାତି ମନୁଷ୍ୟଙ୍କ କୋଟିଏ ରାତି ସହ ସମାନ ।
କ୍ଷୀରି ଖାଇବାର ପରମ୍ପରା :
ଶରତ ପୂର୍ଣ୍ଣିମା ରାତିରେ କ୍ଷୀରି ଖାଇବାର ପରମ୍ପରା ରହିଛି। ଶରତ ପୂର୍ଣ୍ଣିମା ରାତିରେ ଜହ୍ନର ସୌନ୍ଦର୍ଯ୍ୟ ଅଦ୍ବିତୀୟ ହୋଇଥାଏ। ଏହି ରାତିରେ ଜହ୍ନଙ୍କଠୁ ବାହାରୁଥିବା ଶୀତଳ କିରଣ ଆମ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ।
ଧାର୍ମିକ ବିଶ୍ବାସ ରହିଛି ଯେ ଏହି ରାତିରେ ଜହ୍ନରୁ ଅମୃତ ବର୍ଷା ହୋଇଥାଏ। ଏହି ରାତିରେ ଖୋଲା ଆକାଶ ତଳେ କ୍ଷୀରି ପ୍ରସ୍ତୁତ କରାଯାଏ। ଜହ୍ନରୁ ବାହାରୁଥିବା କିରଣ ସିଧା କ୍ଷୀରି ଉପରେ ପଡ଼ିଥାଏ।
ଜହ୍ନ କିରଣ ପ୍ରଭାବରେ କ୍ଷୀରିରେ ଔଷଧୀୟ ଗୁଣ ସାମିଲ ହୋଇଥାଏ। ଏହି କ୍ଷୀରିକୁ ଖାଇବା ଦ୍ବାରା ଶ୍ବାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ।
ଶ୍ବାସରୋଗୀଙ୍କ ପାଇଁ ଏହି କ୍ଷୀରି ଅମୃତ ସମାନ ହୋଇଥାଏ। ଏଥିପାଇଁ ଅନେକ ସାମାଜିକ ସଂସ୍ଥାରେ ଶ୍ବାସ ରୋଗୀଙ୍କ ପାଇଁ କ୍ଷୀରି ପ୍ରସ୍ତୁତ କରାଯାଇଥାଏ।
