ଦେଶବାସୀଙ୍କୁ ମିଳିଲା ଦୀପାବଳି ଭେଟି : ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୧୦ ଟଙ୍କା କମିଲା
ନୂଆଦିଲ୍ଲୀ : ଦେଶବାସୀଙ୍କୁ ମିଳିଲା କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । ଗୁରୁବାର ଠାରୁ କମିଲା ପେଟ୍ରୋଲ ଦର ଏବଂ ଡିଜେଲ ଦର । କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇଛି। ପେଟ୍ରୋଲ ଉପରୁ ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମିଛି ।
ଦେଶର ବିଭିନ୍ନ ପ୍ରାନ୍ତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏଥି ଯୋଗୁ ଅନ୍ୟ ସାମଗ୍ରୀଗୁଡ଼ିକର ଦାମ ମଧ୍ୟ ବଢ଼ୁଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଦେଶର ଅନେକ ରାଜ୍ୟରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ମାଟି କାମୁଡିବା ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି। ଆଉ ତେଲ ଦାମ ହ୍ରାସ କରିବାକୁ ବାଧ୍ୟ ହୋଇଥିଲେ କେନ୍ଦ୍ର ସରକାର। ପେଟ୍ରୋଲ ତୂଳନାରେ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ ଦୁଇ ଗୁଣ ହ୍ରାସ ହେବ। ଆଗାମୀ ରବି ସିଜିନକୁ ଦେଖିଲେ କୃଷକଙ୍କ ପାଇଁ ଏହା ଆଶ୍ଵସ୍ତିକର ଖବର। ପେଟ୍ରୋଲ ଓ ଡିଜେଲ୍ ଦାମ କମ କରିବାର ସବୁଠୁ ବଡ କାରଣ ଜନତାଙ୍କ ଆକ୍ରୋଶ। ଦେଶର ପ୍ରାୟ ସମସ୍ତ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଛି। ଏପରିକି ଅନେକ ସହରରେ ୧୧୦ ଟଙ୍କା ପାଖାପାଖି ରହିଛି ପେଟ୍ରୋଲ। ସେହି ପରି ଡିଜେଲ୍ ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଛି। ସବୁଠୁ ଅଧିକ ମହଙ୍ଗା ମାଡ ସାଧାରଣ ଜନତାଙ୍କୁ ଅକ୍ଟୋବର ମାସରେ ସହିବାକୁ ପଡିଛି। କାରଣ ଗତ ମାସରେ ପେଟ୍ରୋଲ ପାଖାପାଖି ଆଠ ଟଙ୍କା ଏବଂ ଡିଜେଲ୍ ନଅ ଟଙ୍କା ମହଙ୍ଗା ହୋଇଥିଲା। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ହୁ ହୁ ହୋଇ ବଢି ଚାଲିଥିଲା। ସାଧାରଣ ଜନତାଙ୍କ ଆକ୍ରୋଶ ବଢିବାରେ ଲାଗିଥିଲା। ଶେଷରେ ପେଟ୍ରୋଲ ଓ ଡିଜେଲ୍ ଦରଦାମ ବୃଦ୍ଧି ଉପରେ ବ୍ରେକ୍ ଲାଗିଛି। ଏହା ପୂର୍ବରୁ ପେଟ୍ରୋଲ ଲଗାତାର ସାତ ଦିନ ଏବଂ ଡିଜେଲ୍ ମୂଲ୍ୟ ଲଗାତାର ୬ ଦିନ ୩୫-୩୫ ପଇସା ବଢି ଚାଲିଥିଲା।
