ବାଲେଶ୍ୱର ଜିଲାସ୍ତରୀୟ କ୍ରୀଡ଼ା ଓ ଦୌଡ଼କୁଦ ପ୍ରତିଯୋଗିତା-୨୦୨୩ ଉଦଘାଟିତ
ଅଂଶଗ୍ରହଣ କଲେ ବିଭିନ୍ନ ବିଦ୍ୟାଳୟରୁ ମନୋନୀତ ୧୨୦୦ ଛାତ୍ରୀଛାତ୍ର
ବାଲେଶ୍ୱର : ବାଲେଶ୍ୱର ଜିଲାସ୍ତରୀୟ କ୍ରୀଡ଼ା ଓ ଦୌଡ଼କୁଦ ପ୍ରତିଯୋଗିତା-୨୦୨୩ ସ୍ଥାନୀୟ ମିଶନ ପଡ଼ିଆରେ ବୁଧବାର ଉଦ୍ଘାଟିତ ହୋଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀତାକୁ ଉଦ୍ଘାଟନ କରିବା ସହିତ ଶାରୀରିକ ଓ ମାନସିକ ବିକାଶରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଆସନ୍ତା ୧୧ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱ କପ୍ ପରିପ୍ରେକ୍ଷୀରେ ଏହି ଭଳି ପ୍ରତିଯୋଗିତା ଛାତ୍ରୀଛାତ୍ରଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧିରେ ସହାୟକ ହେବ । ତେବେ ପ୍ରତ୍ୟେକ କ୍ରୀଡ଼ାକୁ ନିୟମ ମଧ୍ୟରେ ସତର୍କତାର ସହ ଖେଳିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଓ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ । ହାର ଓ ଜିତ୍କୁ ଅଧିକ ଗୁରୁତ୍ୱ ନଦେଇ ସର୍ବଦା ଭାଇଚାରା ବଜାୟ ସହ ଖେଳିବାକୁ ସେମାନେ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୁତାର ସଭାପତିତ୍ୱ କରିବା ସହିତ ସାମ୍ପ୍ରତିକ ଶିକ୍ଷାନୀତିରେ ବିଦ୍ୟାଳୟସ୍ତରୀୟ କ୍ରୀଡ଼ାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ଓ ପ୍ରାଚୀତନୟା ଗିରି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ ନାୟକ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଖ୍ରୀଷ୍ଟିୟାନ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ପ୍ରାରମ୍ଭରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଫ୍ଲାଗମାର୍ଚ୍ଚ ପ୍ରଦର୍ଶିତ ହୋଇଥିଲା । ୧୪ ବର୍ଷ ଓ ୧୭ ବର୍ଷରୁ କମ୍ ବୟସର ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲାର ୧୨ ଗୋଟି ବ୍ଲକ ଓ ପୌରପାଳିକା ଅନ୍ତର୍ଗତ ବିଦ୍ୟାଳୟମାନଙ୍କରୁ ମନୋନୀତ ମୋଟ ୧୨ଶହ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ଦୌଡ଼କୁଦ, ଯୋଗ, ଭଲିବଲ୍, ବିଚ୍ ଭଳିବଲ, ଚେସ୍, କବାଡ଼ି, ତୀର ଚାଳନା, ଫୁଟବଲ ଓ ଖୋ-ଖୋ ପ୍ରଭୃତି ଖେଳ ସ୍ଥାନୀୟ ଖ୍ରୀଷ୍ଟିଆନ୍ ହାଇସ୍କୁଲରେ ଅନୁଷ୍ଠିତ ହେଉଥିବା ବେଳେ ସଫ୍ଟ ବଲ, ରଗ୍ବି, ଟେନିକୋଏଟ୍, ବ୍ୟାଡ୍ମିଣ୍ଟନ ପ୍ରଭୃତି ମୋର୍କୋଣାର ଆରଏନ ହାଇସ୍କୁଲ ଓ କ୍ରିକେଟ ବାଲେଶ୍ୱରର ପରମିଟ୍ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଜିଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶେଖ୍ ଅବଦୁଲ ହାକିମ୍ଙ୍କ ସହ ବିଭିନ୍ନ ସ୍କୁଲର ଶିକ୍ଷକମାନେ ଏହି ଜିଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ପ୍ରତିଯୋଗୀତାରୁ ଉତ୍ତୀର୍ଣ୍ଣ ଶ୍ରେଷ୍ଠ ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି ।
