ସଡ଼କ ଦୁର୍ଘଟଣା ପାଇଁ ଉତ୍ତରଦାୟୀ ରହିବେ ଜିଲାପାଳ ! ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାକୁ ନେଇ ବଡ଼ ଖବର ଆସିଛି । ସଡ଼କ ଦୁର୍ଘଟଣା ପାଇଁ ଏଣିକି ଜିଲାପାଳମାନେ ଉତ୍ତରଦାୟୀ ରହିବେ । ଜିଲାର ସଡ଼କ ଦୁର୍ଘଟଣାଗୁଡ଼ିକର ତଦାରଖ କରିବେ ଜିଲାପାଳ । ଓଡ଼ିଶା ସମେତ ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା ସଂକ୍ରାନ୍ତ କମିଟି ଏହି ନିର୍ଦ୍ଦେଶ ଦେଇଛନ୍ତି ।
କୁହାଯାଇଛି ଯେ, ଜିଲାପାଳମାନେ ଦୁର୍ଘଟଣାରେ ଆହତ ହେଉଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସାହାଯ୍ୟ କରିବା ସହ ସେମାନଙ୍କୁ ହସ୍ପିଟାଲରେ ପହଞ୍ଚାଇବାର ଦାୟିତ୍ୱ ନିର୍ବାହ କରିବେ । ଏଥିପାଇଁ ଜିଲାପାଳମାନେ ସଡ଼କ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବେ ଓ ପ୍ରତ୍ୟେକ ମାସରେ ଏକ ରିପୋର୍ଟ ପୋର୍ଟାଲରେ ଅପଲୋଡ୍ କରିବେ । ଏହି ରିପୋର୍ଟକୁ କେନ୍ଦ୍ରୀୟ ଅଧିକାରୀମାନେ ସମୀକ୍ଷା କରିବେ । ସମସ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଚଳିତ ମାସ ୩୦ ତାରିଖ ସୁଦ୍ଧା ଜିଲା ସଡ଼କ ସୁରକ୍ଷା କମିଟି ଗଠନ ହେବ । ଏହି କମିଟିରେ ଏସ୍ପି, ସିଏମ୍ଓ, ପୂର୍ତ୍ତ ମୁଖ୍ୟଯନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରାଳୟର କ୍ଷେତ୍ରୀୟ ଅଧିକାରୀ, ଏନ୍ଏଚ୍ଏଆଇର ପ୍ରୋଜେକ୍ଟ ଡାଇରେକ୍ଟର, ନଗର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ଏନଜିଓର ପ୍ରତିନିଧି ରହିବେ ।
