ଜିଲ୍ଲା ସ୍ତରୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ଜୟନ୍ତୀ ପାଳିତ
ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ମୟୁରଭଂଜର ତତ୍କାଳୀନ ପ୍ରଜାନୁରଂଜକ ମହାରାଜା ତଥା ଉତ୍କଳର ଅନ୍ୟତମ ବରପୁତ୍ର ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ଙ୍କ ପବିତ୍ର ୧୫୨ତମ ଜୟନ୍ତୀ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବାରିପଦା ପୌରପାଳିକାଙ୍କ ମିଳିତ ଆନୁକୂଲ୍ୟ ରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜଦେଓ ପ୍ରତିମୂର୍ତି ସ୍ଥଳରେ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି ଏବଂ ଅକ୍ଷୟ ସୁନୀଲ ଅଗ୍ରୱାଲ, ବାରିପଦା ଉପଜିଲ୍ଲାପାଳ ବାରିପଦା ତଥା ପୌରପାଳିକା ନିର୍ବାହୀ ଅଧିକାରୀ , ବସନ୍ତ କୁମାର ସେଠି, ବାରିପଦା ପୌର ପାଳିକା ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼. ଦେବାଶିଷ ମାର୍ଣ୍ଡି ବାରିପଦା ପୌର ପାଳିକାର ବିଭିନ୍ନ ୱାର୍ଡର କାଉନସିଲର, ବିଭିନ୍ନ ପଦାଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ, ବରିଷ୍ଟ ଆଇନ ଜିବୀ, ପ୍ରତିଶ୍ରୁତି ପ୍ରତିଷ୍ଠାନର ସମ୍ପାଦକ ଭାଗବତ ପଣ୍ଡା, ବରିଷ୍ଠ ନାଗରିକ ତଥା ସମାଜସେବୀ ଶରତ ଚନ୍ଦ୍ର ନାୟକ ପ୍ରମୁଖ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମହାରାଜାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଫେସିଲିଟେସନ ସେଂଟରରେ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ବାରିପଦା ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠି, ନଗରପାଳ କୃଷ୍ଣା ନନ୍ଦ ମହାନ୍ତି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଡ଼. ଦେବାଶିଷ ମାର୍ଣ୍ଡି ଯୋଗଦେଇ ମହାରାଜା ଙ୍କ ଜୀବନ ଦର୍ଶନ ଉପରେ ଆଲୋକ ପାତ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ମହାରାଜା ଜୟନ୍ତୀ ଉତ୍ସବକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ.
