କୋଭିଡର ଚତୁର୍ଥ ଲହରକୁ ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ କୋଭିଡର ମକ ଡ୍ରିଲ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ନୂତନ ମୁଖ୍ୟ ଚିକିତ୍ସାଳୟ ପରିସରରେ ଚତୁର୍ଥ ଲହର ପାଇଁ କୋଭିଡ ରୋଗୀଙ୍କୁ କିପରି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ମକ ଡ୍ରିଲ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଭିଡର ଚତୁର୍ଥ ଲହର କୁ ମୁକାବିଲା କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନୀତା ପଟ୍ଟନାୟକ, ଡାକ୍ତର ମିର୍ଜା ବାବର ବେଗ, ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତର ନୃପେନ ଶତପଥୀ, ଡାକ୍ତର ପ୍ରମୋଦ କୁମାର ପ୍ରହରାଜ ପ୍ରମୁଖ ଯୋଗ ଦେଇ ରୋଗୀର ଅବସ୍ଥାକୁ ପରୀକ୍ଷଣ କରିବା, କୋଭିଡରେ ସାମାନ୍ୟ ସଂକ୍ରମିତ ହୋଇଥିବା ରୋଗୀ ମାନଙ୍କୁ ଯଦି ନିଶ୍ୱାସ ନେବାରେ କଷ୍ଟ ହେଉଥାଏ ତେବେ ସେମାନଙ୍କ ପାଇଁ ଅକ୍ସିଜେନ ସାହାଯ୍ୟରେ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଗୁରୁତର ରୋଗୀ ମାନଙ୍କୁ ଆଇସିୟୁରେ ରଖିବା ପାଇଁ ୨୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ଏଥି ମଧ୍ୟରୁ ୭ଟି ଭେଣ୍ଟିଲେଟର ବ୍ୟବସ୍ଥା ରହିଛି । ୨୪ ଘଣ୍ଟା ଅକ୍ସିଜେନ ଯୋଗାଣ ପାଇଁ ୨ଟି ପିଏସଏ ପ୍ଲାଣ୍ଟର ବ୍ୟବସ୍ଥା ଅଛି । ଏହା ସହିତ ୩୦୦ରୁ ଉର୍ଦ୍ଧ୍ୱ ବଡ ଅକ୍ସିଜେନ (ଜମ୍ବୋ) ସିଲିଣ୍ଡର, ୫୦୦ରୁ ଉର୍ଦ୍ଧ୍ୱ ଛୋଟ ଅକ୍ସିଜେନ ସଲିଣ୍ଡର ମହଜୁଦ ରହିଛି । ଏହା ସହିତ କୋଭିଡ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଗଚ୍ଛିତ ରଖାଯିବା ସହିତ ପିପିଇ କିଟ, ମାକ୍ସ, ଗ୍ଲୋବ ଆଦି ମହଜୁଦ ରହିଛି । କୋଭିଡର ଚତୁର୍ଥ ଲହରକୁ ଜନ ସାଧାରଣ ଭୟଭୀତ ନହେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେବା ସହିତ କୋଭୀଡ ନିୟମକୁ ମାନି ଚଳିବା, ଆମ୍ଭେ ଏହି ରୋଗରୁ ନିଜକୁ ରକ୍ଷା କରିବା ସହିତ ମାନବ ସମାଜକୁ ରକ୍ଷା କରିପାରିବା ବୋଲି ଉପସ୍ଥିତ ଡାକ୍ତର ମାନେ ମତବ୍ୟକ୍ତ କରିଛନ୍ତି ।
