ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଅନୁଷ୍ଠିତ
ବାଲେଶ୍ୱର : ବାଲେଶ୍ୱର ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ ରବିବାର ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି-୨୦୨୧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ପ୍ରତିଯୋଗିତାଙ୍କୁ ଉଦଘାଟନ କରିଥିଲେ । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ଜିଲା କଳାସଂସ୍କୃତି ସଂଘ ଉପସଭାପତି ଚକ୍ରଧର ମହାପାତ୍ର, ଜିଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।
ଜିଲାର ବିଭିନ୍ନ ବ୍ଲକରୁ ଆସିଥିବା କଳାକାରବୃନ୍ଦ ଏହି ପ୍ରତିଯୋଗିତାରେ ସାମିଲ ହୋଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାରେ ବାଲେଶ୍ୱର ପୌରାଞ୍ଚଳର ଗୁରୁ ହରେକୃଷ୍ଣ ବେହେରା କଳାସଂସ୍କୃତି ସଂଘ, ବାଲିଆପାଳ ବ୍ଲକର ଶ୍ରୀ ଗୋପାଳ ଜୀଉ ସଙ୍କୀର୍ତନ ମଣ୍ଡଳୀ, ସଦର ବ୍ଲକର ମା’ ବାସନ୍ତୀ ଚଢେଇଆ ନାଟ, ଖଇରା ବ୍ଲକରୁ ଶ୍ରୀକ୍ଷେତ୍ରବାସିନୀ ମା’ ମହାଲକ୍ଷ୍ମୀ ମହିଳା ସଙ୍କୀର୍ତନ ମଣ୍ଡଳୀ, ଜଳେଶ୍ୱର ବ୍ଲକର ଏକାନ୍ନବର୍ତ୍ତୀ ପାଲା ପରିଷଦ, ରେମୁଣା ବ୍ଲକର ମା’ ଭଗବତୀ ଚଢ଼େଇଆ ନାଟ, ଭୋଗରାଇ ବ୍ଲକର ଶ୍ରୀ ଶ୍ରୀ ଜଗନ୍ନାଥ ସଙ୍କୀର୍ତନ ସଂଘ, ବସ୍ତା ବ୍ଲକର ଗୌର ନିତାଇ ସଙ୍କୀର୍ତନ ମଣ୍ଡଳୀ, ଔପଦା ବ୍ଲକର ପୁରୁଷୋତମ ସଙ୍କୀର୍ତନ ମଣ୍ଡଳୀ, ସିମୁଳିଆ ବ୍ଲକରୁ ଦଶଭୂଜା ଆରାଧନା ଗ୍ରୁପ, ସୋର ବ୍ଲକରୁ ସର୍ବମଙ୍ଗଳା ଘୋଡ଼ାନାଚ ପରିଷଦ, ବାହାନଗା ବ୍ଲକରୁ ମା’ ସିନ୍ଦୁରଗୁଣ୍ଡୀ ଢଣକୋଇଲା ଗୋଷ୍ଠୀ, ବସ୍ତା ବ୍ଲକରୁ ବେଳାଶୁଣୀ ସଙ୍କୀର୍ତନ ମଣ୍ଡଳୀ ଏବଂ ମା’ ବାସନ୍ତୀ ମ୍ୟାଜିକ୍ ସୋ ଦଳର କଳାକାରମାନେ ବିଭିନ୍ନ ଲୋକକଳା ଉପରେ ଆଧାରିତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଚାରକ ଭାବେ ହେମେନ୍ଦ୍ର ମହାପାତ୍ର, ମହେନ୍ଦ୍ରନାଥ ମହାପାତ୍ର ଓ ଚକ୍ରଧର ମହାପାତ୍ର ଦାୟିତ୍ୱ ତୁଲାଇଥିଲେ । ପ୍ରତିଯୋଗିତା ଶେଷରେ ତିନୋଟି ସର୍ବଶ୍ରେଷ୍ଠ ଲୋକକଳା ଦଳ ଭାବେ ରେମୁଣା ବ୍ଲକର ମା’ ଭଗବତୀ ଚଢ଼େଇଆ ନାଟ, ସୋର ବ୍ଲକର ସର୍ବମଙ୍ଗଳା ଘୋଡ଼ାନାଚ ପରିଷଦ ଏବଂ ବାଲିଆପାଳ ବ୍ଲକର ଶ୍ରୀ ଗୋପାଳ ସଙ୍କୀର୍ତନ ମଣ୍ଡଳୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିବେଚିତ ହୋଇଥିବା ବେଳେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଉକ୍ତ ଦଳମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ବିବେଚିତ ଦଳ ରେମୁଣାର ମା’ ଭଗବତୀ ଚଢ଼େଇଆ ନାଟ ରାଜ୍ୟସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଶେଷରେ ଜିଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


