ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବିତରଣ
କଟକ : ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଆଜି ସିଏମସି ୨୨ ନମ୍ବର ୱାର୍ଡ ତିନିକୋଣିଆ ବଗିଚାସ୍ଥିତ ଶ୍ରୀ ଶ୍ରୀ ଷୋଳ ପୁଅ ମା ଠାକୁରାଣୀ ମନ୍ଦିରଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଶୀତବସ୍ତ୍ର ବିତରଣ କରାଯାଇଛି । ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ମହିଳା, ଶିଶୁ ଏବଂ ସିଏମସିର ସଫେଇ କର୍ମଚାରୀମାନଙ୍କୁ ଶିତବସ୍ତ୍ର ବିତରଣ କରାଯାଇଥିଲା । ସ୍ମୃତି ସଂସଦ ପକ୍ଷରୁ ଶୀତ ଦିନରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମେୟର ସୁବାସ ସିଂହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୀତବସ୍ତ୍ର ବିତରଣ କରିବା ସହିତ ସମାଜର ଦୁଃଖୀ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସାହି ମୁରବୀ ଲକ୍ଷ୍ମୀନାରାୟଣ ଚାଟାର୍ଜୀ, ମନୋଜ ଶର୍ମା, ରାଜେନ୍ଦ୍ର କୁମାର ନାୟକ, ଜଗନ୍ନାଥ ରାଓ, ମହମ୍ମଦ ଗୋରା, ଏସ ଦୁର୍ଗା ରାଓ, ଏମ ରାଜୁ, କିଶୋର ମହାନ୍ତି, ସ୍ମୃତିରଂଜନ ରାଉତ, ସୁଶୀଲ ଶର୍ମା, ଦେବକିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବସ୍ତ୍ର ବିତରଣରେ ସହଯୋଗ କରିଥିଲେ ।
