ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ଖଟରେ ଯେତିକି, ଚଟାଣରେ ଅଧା ରୋଗୀ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବଣ ପାହାଡ଼ ଘେରା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଉପରେ ପ୍ରତିଦିନ ଶହ ଶହ ଗରିବ ମଧ୍ୟବିତ୍ ଲୋକେ ନିର୍ଭର କରିଥାନ୍ତି । ତେବେ ୭୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏବେ କ୍ଷମତାଠାରୁ ଅଧିକ ଅର୍ଥାତ ଓଭରଲୋଡ୍ରେ ଚାଲିଛି । ଶଯ୍ୟା ଅନୁପାତରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଶତାଧିକ ରୋଗୀ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି ।
ସୂଚନା ଯେ, ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଦୈନନ୍ଦିନ ଶହ ଶହ ରୋଗୀ ବହୁ ଦୂରଦୂରାନ୍ତରୁ ଆସି ଚିକିତ୍ସିତ ହୋଇଥାଆନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ ସରକାର ଏହି ଚିକିତ୍ସାଳୟରେ ନୂତନ ଭାବେ ୩୦ ଶଯ୍ୟାବିଶିଷ୍ଟ ଅର୍ନ୍ତଃବିଭାଗ ଏବଂ ବର୍ହିଃବିଭାଗର କାର୍ଯ୍ୟ ଦୀର୍ଘ ୬ମାସ ପୂର୍ବରୁ ସମ୍ପୂର୍ଣ୍ଣ ହୋଇ ସାରିଥିଲେ ମଧ୍ୟ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଫଳରେ ରୋଗୀ ସେବା ଏଭଳି ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଯେ ଏଠାକୁ ଚିକିତ୍ସା ହେବାକୁ ଆସୁଥିବା ବହୁରୋଗୀ ଏବେ ବେଡ୍ ନ ପାଇ ଚଟାଣରେ ପଡ଼ି ଚିକିତ୍ସିତ ହେଉଛନ୍ତି । ଯାହା ଫଳରେ ରୋଗୀ ଏବଂ ରୋଗୀଙ୍କ ସହାୟକଙ୍କ ପାଇଁ ଏବେ ମରଣଯନ୍ତା ପାଲଟିଛି । ଏହି ଉପଖଣ୍ଡ ଚିକିତ୍ସାଳୟରେ ଏବେ ମୋଟ ୭୦ ଶଯ୍ୟା ବିଶିଷ୍ଟ ଶଯ୍ୟା ଥିବା ବେଳେ ଶଯ୍ୟା ତୁଳନାରେ ରୋଗୀ ସଂଖ୍ୟା ଏତେ ଅଧିକ ଯେ ରୋଗୀମାନେ ଚଟାଣରେ ପଡ଼ି ଡହଳବିକଳ ହେଉଛନ୍ତି । ଯେଉଁଠି ଫ୍ୟାନର ମଧ୍ୟ ସୁବିଧା ନାହିଁ । ମେଡିକାଲର ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବିକାଙ୍କ ଅଭାବରୁ ରୋଗୀ ଡାକ୍ତରଙ୍କୁ ଚାହିଁ ରହିଁ ଦିନରେ ତାରା ଗଣୁଛନ୍ତି । କିଛି ଦିନ ପୂର୍ବରୁ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମେଡିକାଲ ପରିଦର୍ଶନରେ ଆସି ଖୁବ୍ଶୀଘ୍ର ନୂତନ ବର୍ହିଃବିଭାଗ ଏବଂ ଅନ୍ତବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନ ହେବା ଫଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଦିନକୁ ଦିନ ସ୍ୱାସ୍ଥ୍ୟସେବାରେ ଅବନତି ବୃଦ୍ଧି ପାଉଥିବାକୁ ଦେଖି ନୀଳଗିରି ବିଜେଡିର ନେତା ସନ୍ତୋଷ ଖଟୁଆ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବଙ୍କ ସହିତ କଥା ହୋଇଥିଲେ । ଆସନ୍ତା ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାର ନେଇ ସିଡିଏମଓ ପ୍ରତିଶ୍ରୁତି ଦେଇଥିଲେ । ଜିଲାପାଳ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ନୂତନ ବିଲିଂ କାର୍ଯ୍ୟକ୍ଷମ ହେଲେ ରୋଗୀ ସେବା ସଫଳ ହେବବୋଲି ବୁଦ୍ଧିଜୀବୀମାନ ମତବ୍ୟକ୍ତ କରିଛନ୍ତି ।
ଏ ନେଇ ଏସ୍ଡିଏମ୍ଓ ସରୋଜିନୀ ପ୍ରଧାନଙ୍କୁ ପଚାରିବାରୁ କହିଛନ୍ତି ଯେ, ରୋଗୀଙ୍କ ସଂଖ୍ୟା ବଢୁଛି, ହେଲେ ନୂତନ ଜନେରେଟର ଫିଟିଙ୍ଗ ହେଲାପରେ ସମ୍ପୂର୍ଣ୍ଣ ହୋଇଥିବା ଅର୍ନ୍ତଃବିଭାଗ ଏବଂ ବର୍ହିଃବିଭାଗର ଗୃହଟି ଚାଲୁହେବ ।
