ନିର୍ଦ୍ଦେଶକ କମଳଲୋଚନ ଦାଶଙ୍କ ପରଲୋକ
ବାଲେଶ୍ୱର : ଓଡ଼ିଶାର ଯଶସ୍ୱୀ ମଞ୍ଚ ଅଭିନେତା, ନିର୍ଦ୍ଦେଶକ କମଳଲୋଚନ ଦାଶ ୭୩ ବର୍ଷ ବୟସରେ ଫୁସ୍ଫୁସ୍ ଜନିତ ରୋଗରେ ଦୀର୍ଘଦିନ ଆକ୍ରାନ୍ତ ହୋଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍, କଟକରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମଧ୍ୟାହ୍ନ ୧୨ଟା ୫୪ମିନିଟ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଷବେଳକୁ ପରିବାରବର୍ଗ ତଥା ନିଜର ଅନ୍ତରଙ୍ଗ କଳାକାର ବନ୍ଧୁମାନେ ଉପସ୍ଥିତ ଥିଲାବେଳେ ତାଙ୍କ ମରଶରୀର ସ୍ଥାନୀୟ ବାଲେଶ୍ୱର ସୁନହଟ୍ ଡିଗିରହଣିଆ ଶ୍ମଶାନରେ ସତ୍କାର କରାଯାଇଥିଲା ।
ସାରା ଜୀବନକାଳ ମଞ୍ଚନାଟ, ଚଳଚ୍ଚିତ୍ର, ଗୀତିନାଟ୍ୟ ତଥା ଦୂରଦର୍ଶନ ଧାରାବାହିକରେ ଅଭିନୟ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇ ନିଜ ଜୀବନକୁ ନାଟକଳାରେ ସମର୍ପିତ କରିଥିଲେ । ୧୯୬୫ ମସିହାରୁ ଅନ୍ନପୂର୍ଣ୍ଣା ଥିଏଟର୍ ‘ବି’ ଗ୍ରୁପ୍, ୧୯୬୮ ମସିହାରୁ ୧୯୯୫ ମସିହା ଅନ୍ନପୂର୍ଣ୍ଣା ଥିଏଟର୍ ‘ଏ’ ଗ୍ରୁପ୍, ପୁନଶ୍ଚ କଳାଶ୍ରୀ ରୂପକାର ଥିଏଟର୍ରେ ଏବଂ କେତେକ ଅପେରାରେ ଅଭିନୟ ତଥା ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଦୂରଦର୍ଶନ ଭୁବନେଶ୍ୱରରେ ସମ୍ପର୍କ, ମା’, ପରଆପଣା, ମାନିନୀ, ଇଟିଭିରେ ପଣତକାନି, ପୂଣ୍ୟତୋୟା ଧାରାବାହିକରେ ସେ ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ । ୧୯୯୫-୯୬ ମସିହାଠାରୁ ଏ ପର୍ଯ୍ୟନ୍ତ କ୍ରମାଗତ ଭାବେ ‘ଚନ୍ଦ୍ରଭାଗା’ ଆୟୋଜିତ ଅଖିଳ ଭାରତୀୟ ଆନ୍ତଃ ମହାବିଦ୍ୟାଳୟ ବହୁଭାଷୀ ନାଟକ ପ୍ରତିଯୋଗିତାରେ ବିଚାରକ ଭାବରେ କାର୍ଯ୍ୟଭାର ସୁଚାରୁ ରୂପେ ତୁଲାଇ ଆସୁଥିଲେ ।
