ଏଣିକି ମେୟର ଓ ପୌରାଧ୍ୟକ୍ଷ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ
- ବିଜ୍ଞପ୍ତି ଜାରି, ଲୋକଙ୍କ ମତାମତ ଲୋଡ଼ିଲେ ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର : ଏଣିକି ମହାନଗର ନିଗମ ମେୟର ଓ ପୌରପାଳିକା/ଏନ୍ଏସି ଅଧ୍ୟକ୍ଷ ଆଉ ପରୋକ୍ଷ ଭାବେ ନିର୍ବାଚିତ ହେବେନି। ସେମାନଙ୍କୁ ଭୋଟର୍ମାନେ ସିଧାସଳଖ ନିର୍ବାଚିତ କରିବେ। ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ସଂଶୋଧିତ ଆଇନ ବିଧାନସଭାରେ ଗୃହୀତ ହୋଇଥିଲା। ପାଖାପାଖି ୩ ବର୍ଷ ପରେ ଏହି ସଂଶୋଧିତ ଆଇନ ଆଧାରରେ ପ୍ରସ୍ତୁତ ଚିଠା ନିୟମ ଗତକାଲି ଓଡ଼ିଶା ଗେଜେଟ୍ରେ ପ୍ରକାଶ କରି ସାଧାରଣ ଲୋକଙ୍କ ମତାମତ ମାଗିଛନ୍ତି ସରକାର। ୩୦ ଦିନ ଭିତରେ ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପଠାଇପାରିବେ। ନୂଆ ବ୍ୟବସ୍ଥା ଅନୁଯାୟୀ ପୌର ନିର୍ବାଚନ ସମୟରେ କାଉନ୍ସିଲର୍/କର୍ପୋରେଟର୍ ଓ ମେୟର/ଅଧ୍ୟକ୍ଷ ପଦବି ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ। ମହାନଗର ନିଗମ/ପୌରପାଳିକା/ଏନ୍ଏସିର ଜନସଂଖ୍ୟା ଆଧାରରେ ମେୟର/ ଅଧ୍ୟକ୍ଷ ପଦବି କେଉଁ ବର୍ଗର ହେବେ ତାହା ସ୍ଥିର ହେବ। ମତଦାନ କେନ୍ଦ୍ରରେ କାଉନ୍ସିଲର୍/କର୍ପୋରେଟର୍ ପାଇଁ ଗୋଟିଏ ଏବଂ ମେୟର/ଅଧ୍ୟକ୍ଷ ପାଇଁ ଆଉ ଗୋଟିଏ ଭୋଟ୍ବାକ୍ସ ରହିବ। ପୂର୍ବରୁ ପୌରପାଳିକା/ଏନ୍ଏସିରେ କାଉନ୍ସିଲର୍ମାନେ ନିଜ ଭିତରୁ ଜଣଙ୍କ ଅଧ୍ୟକ୍ଷ ନିର୍ବାଚନ କରୁଥିଲେ। ସେହିପରି ମହାନଗର ନିଗମରେ କର୍ପୋରେଟର୍ମାନେ ନିଜ ଭିତରୁ ମେୟର ନିର୍ବାଚନ କରୁଥିଲେ। ନୂଆ ଆଇନରେ ଏହି ବ୍ୟବସ୍ଥା ଉଠିଯିବ। ଦେଶର ଅନ୍ୟ କିଛି ରାଜ୍ୟ ମଧ୍ୟ ମେୟର/ଅଧ୍ୟକ୍ଷ ପଦବିରେ ସିଧାସଳଖ ନିର୍ବାଚନର ବ୍ୟବସ୍ଥା କରିଛନ୍ତି।
ୱାର୍ଡ ସୀମା ନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନାକୁ ନେଇ ଏହି ସଂଶୋଧିତ ଆଇନ ଜାରି କରି ସରକାର ଆଜିଠୁ ୩୦ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଆହ୍ୱାନ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ଓଡ଼ିଶା ପୌରପାଳିକା ନିୟମାବଳୀ-୧୯୯୪ର ଅଧ୍ୟାୟ ୩ରେ ସଂଶୋଧନ କରିଛନ୍ତି। ପୌରାଂଚଳ ଓ ବିଜ୍ଞପିତ ପରିଷଦର ଅଧ୍ୟକ୍ଷ ଏଣିକି ସିଧାସଳଖ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେବେ। ଏଥିପାଇଁ ନିର୍ବାଚନ ସମୟରେ କାଉନସିଲର ଓ ଅଧ୍ୟକ୍ଷ ପଦବୀ ପାଇଁ ଦୁଇଟି ସ୍ୱତନ୍ତ୍ର ଭିନ୍ନ ରଙ୍ଗର ବାଲାଟ୍ ପେପର ରହିବ। ପୌରାଂଚଳର ଜନସଂଖ୍ୟା ଆଧାରରେ ଅଧ୍ୟକ୍ଷ ପଦବୀ କେଉଁ ବର୍ଗର ହେବେ ତାହା ସ୍ଥିର ହେବ। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଓ ୱାର୍ଡର କାଉନସିଲର ନିର୍ବାଚନ ପାଇଁ ଅନ୍ୟ ଗୋଟିଏ, ଏହିପରି ଦୁଇଟି ଭିନ୍ନ ଭିନ୍ନ ଭୋଟବାକ୍ସ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ରହିବ। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ନିମନ୍ତେ ସାଧାରଣ ଭାବେ ଏହା ବ୍ୟବହାର କରାଯିବ। ନିର୍ବାଚନ ଅଧିକାରୀ ପ୍ରତି ଭୋଟଗ୍ରହଣ କେନ୍ଦ୍ରରେ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ ସଂଖ୍ୟକ ଭୋଟବାକ୍ସ ଯୋଗାଇ ଦେବେ। ଏହି ଭୋଟ ବାକ୍ସଗୁଡ଼ିକର ଆକାର ଓ ପ୍ରକାର ମଧ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅନୁମୋଦିତ ହେବା ଆବଶ୍ୟକ। ଏହି ସଂଶୋଧିତ ଚିଠା ଆଇନ ଓଡ଼ିଶା ଗେଜେଟରେ ପ୍ରକାଶ ପାଇବାର ୩୦ଦିନ ମଧ୍ୟରେ ଯେକୌଣସି ନାଗରିକ ନିଜର ଆପତ୍ତି ଅଭିଯୋଗକୁ ବିଭାଗୀୟ ସଚିବଙ୍କ ନିକଟରେ ଦାଖଲ କରିପାରିବେ । ସୂଚନା ଯେ, ରାଜ୍ୟ ସରକାର ଏବେ ପଂଚାୟତ ନିର୍ବାଚନ ପାଇଁ ସଜବାଜ ହେଉଥିବାବେଳେ ହାଇକୋର୍ଟରେ ବିଜେପି ପକ୍ଷରୁ ପିଟିସନ ଦାଖଲ ପରେ ଏହି ଚିଠା ଆଇନକୁ ଜାରି କରିଛନ୍ତି । ଏହି ସଂଶୋଧିତ ଚିଠା ଆଇନ ଉପରେ ଆପତ୍ତି ଅଭିଯୋଗ ମିଳିବା ପରେ ସରକାର ୱାର୍ଡ ସୀମା ନିର୍ଦ୍ଧାରଣ ଓ ସ୍ଥାନ ସଂରକ୍ଷଣ ଆଦି ପ୍ରକ୍ରିୟା ଆରମ୍ଭ କରିବେ । ତେବେ ନିର୍ବାଚନରେ ଓବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବିଜେଡି ସରକାର ଚାହୁଁଥିବାବେଳେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନକରିବାକୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ହିଁ ସରକାରଙ୍କୁ ଅଡ଼ୁଆରେ ପକାଇଛି । ଯେଉଁଥିପାଇଁ ପୌର ନିର୍ବାଚନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି ।
