କଂଗ୍ରେସ ସଭାପତି ଦୌଡ଼ରେ ଦିଗବିଜୟ ସିଂହ
ନୂଆଦିଲ୍ଲୀ : କଂଗ୍ରେସର ସଭାପତି ପଦ ନେଇ ଛିଡ଼ୁନି ଅଙ୍କକଷା। ଏହି ଦୌଡ଼ରେ ଆଉ ଜଣେ ସାମିଲ । ଅଶୋକ ଗେହଲୋଟ୍ ଓ ଶଶି ଥରୁରଙ୍କ ପରେ ଦୌଡ଼ରେ ଏବେ ବରିଷ୍ଠ ନେତା ଦିଗବିଜୟ ସିଂହ ସାମିଲ ହେବା ସମ୍ଭାବନା ରହିଛି ।
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଜି ଦିଗବିଜୟ ସିଂହ ଦିଲ୍ଲୀ ଆସୁଛନ୍ତି । ସେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଯଦି ସେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଅନ୍ତି, ତେବେ କଂଗ୍ରେସ ସଭାପତି ପଦ ପାଇଁ ତ୍ରିମୁଖୀ ଲଢେ଼ଇ ଦେଖିବାକୁ ମିଳିପାରେ ।
କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି କରାଯିବ। ଶୁକ୍ରବାର ଠାରୁ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୪ ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ । ଅକ୍ଟୋବର ୮ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ଦିନ । ଅର୍ଥାତ୍ ଅକ୍ଟୋବର ୭ ସୁଦ୍ଧା କଂଗ୍ରେସ ସଭାପତି ପଦ ପାଇଁ ଦୌଡ଼ରେ କିଏ ଅଛନ୍ତି ତାହା ସ୍ପଷ୍ଟ ହେବ। ଉଲ୍ଲେଖଥାଉ କି, ଏଥର କଂଗ୍ରେସ ସଭାପତି ପଦବୀ ପାଇଁ ଏକରୁ ଅଧିକ ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ହେବ ବୋଲି ମନେ କରାଯାଉଛି।
