ରାଜ୍ୟ ଅବକାରୀ ବିଭାଗକୁ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର
କଟକ : ରାଜ୍ୟ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କଠାରୁ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ, ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, ଅତିରିକ୍ତ ଆୟୁକ୍ତ ରାମଚନ୍ଦ୍ର ପାଲଟା, ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଂଜନ ବିଶ୍ୱାଳ ଏହି ପୁରସ୍କାର ଗ୍ରହଣ କରିଥିଲେ । ପ୍ରକାଶ ଯେ, ଓଡିଶା ସରକାରଙ୍କ ୫-ଟି ସୂତ୍ର ନୁସାରେ ଅବକାରୀ ବିଭାଗ ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ୩୦ରୁ ଅଧିକ ଅନଲାଇନ ପରିମାପକର କାର୍ଯ୍ୟକାରୀ କରାଇ ସ୍ୱଚ୍ଛ, ଅବାଧ, ସ୍ୱଳ୍ପ ସମୟ, ନିରବିଚ୍ଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଦେଇ ଆସୁଛି । ଏହା ଅବକାରୀ ଅପରାଧର ସଠିକ୍ ନିରୀକ୍ଷଣ ଏବଂ ଏହାର କାର୍ଯ୍ୟକାରିତାକୁ ମଜବୁତ କରିବା, ଅବୈଧ ତଥା ନକଲି ମଦକୁ ରୋକିବା, ମଦର ଉତ୍ପାଦନ ଓ ଉତ୍ପାଦନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଏବଂ ପରିଚାଳନା, ସର୍ବୋପରି ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରିଆସିଛି । ବିଭାଗ ପକ୍ଷରୁ ଗତ ବର୍ଷ ଡିସେମ୍ବର ସୁଦ୍ଧା ୨୯୦୩୮ଟି ମକଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତବର୍ଷ ୪୫୫୪୧ ମକଦ୍ଦମା ରୁଜୁ କରାଯାଇଛି, ଯାହାକି ୫୬% ଅଧିକ । ଗତବର୍ଷ ଡିସେମ୍ବର ସୁଦ୍ଧା ଏନଡିପିଏସ ଆଇନରେ ୧୩୧୦ଟି ମକଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୫୭୫ଟି ମକଦ୍ଦମା ରୁଜୁ କରାଯାଇଛି । ସେହିଭଳି ଚଳିତ ବର୍ଷ ଅବକାରୀ ରାଜସ୍ୱ ୬୧୯୭.୫୪ କୋଟି ସଂଗ୍ରହ ହୋଇଥିବା ବେଳେ ଗତ ବର୍ଷ ୫୦୨୩.୯୨ କୋଟି ହୋଇଥିଲା । ଓଡିଶା ରାଜ୍ୟ ସରକାରଙ୍କର ୫-ଟି ସୂତ୍ର ଅନୁସାରେ ପ୍ରଯୁ୍କ୍ତି ବିଦ୍ୟାକୁ ପ୍ରାଧାନ୍ୟ ଦେଇ ବିଭାଗରେ ବ୍ୟାପକ ପରିବର୍ତ୍ତନ କରି ଏହାକୁ ସ୍ୱଚ୍ଛ, କ୍ରିୟାଶୀଳ ଓ ଉତ୍ତରଦାୟୀ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
