ଶ୍ରୀଲଙ୍କା ବିପକ୍ଷ ସିରିଜରୁ ବାଦ ପଡ଼ିବା ପରେ କାନ୍ଦି ପକାଇଲେ ଧଓ୍ୱନ, ସୋସିଆଲ ମିଡ଼ିଆରେ ରଖିଲେ କ୍ଷୋଭଭରା ମନ୍ତବ୍ୟ
ନୂଆଦିଲ୍ଲୀ : ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶିଖର ଧଓ୍ୱନ ବାଦ ପଡ଼ିଛନ୍ତି। ଏହାପରେ ଭାରତୀୟ ଦଳର ଏହି ବାମହାତୀ ବ୍ୟାଟସମ୍ୟାନ ନିଜର କ୍ଷୋଭକୁ ଆଉ ସମ୍ଭାଳି ନ ପାରି ସୋସିଆଲ ମିଡ଼ିଆରେ ନିଜର ଅଭିମାନଭରା ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦେଇଥିବା ନେଇ ଉଲ୍ଲେଖ କରିଛନ୍ତି। ଏଠାରେ କହି ରଖୁ କି ଧଓ୍ୱନଙ୍କ ପ୍ରଦର୍ଶନ ବିଗତ କିଛି ଦିନ ଧରି ଦୁର୍ବଳ ରହିଛି। ସେ ଓ୍ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ ଓ ଜିମ୍ବାଓ୍ୱେ ବିପକ୍ଷରୁ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଫଳରେ ଦଳରେ ତାଙ୍କର ପ୍ରଦର୍ଶନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ଶିଖର ଧଓ୍ୱନ ଦଳରୁ ବାଦ ପଡ଼ିବା ନେଇ ତାଙ୍କ ଇନଷ୍ଟା ଆକାଉଣ୍ଟରେ ଅଭିମାନ ଭରା ପୋଷ୍ଟ କରିଛନ୍ତି। ସେ ଏକ ଫଟୋକୁ ସେୟାର କରି ଲେଖିଛନ୍ତି କି କଥା ବିଜୟ ପରାଜୟର ହୋଇ ନଥାଏ। ହୃଦୟର ହୋଇଥାଏ। କାମ କରିଚାଲ। ବାକି ସବୁ ଭଗବାନଙ୍କ ଉପରେ ଛାଡ଼ିଦିଅ ବୋଲି ସେ ଉଲ୍ଲେଖ କରିଥିଲେ। ଯଦିଓ ଏହି ପୋଷ୍ଟକୁ ସେ ପରବର୍ତ୍ତି ସମୟରେ ଡିଲିଟ କରିଦେଇଥିଲେ। ଏଠାରେ କହି ରଖୁ କି ଧଓ୍ୱନ ଦୀର୍ଘ ଦିନରୁ ଏକ ଲମ୍ବା ଇନିଂସ ଖେଳି ନାହାନ୍ତି। ୩୭ ବର୍ଷୀୟ ଏହି କ୍ରିକେଟ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ସେ ୨୦୧୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ। ସେହିପରି ୨୦୧୧ରେ ଟି୨୦ ଓ ୨୦୧୩ ମସିହାରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ।
ଶିଖର ଧଓ୍ୱନ ପ୍ରଥମେ ଟେଷ୍ଟ ଦଳରୁ ବାଦ ପଡ଼ିଥିଲେ। ସେହିପରି ଗତ ବର୍ଷ ଶ୍ରୀଲଙ୍କା ଗସ୍ତ ପରେ ତାଙ୍କୁ ଟି୨୦ରୁ ବିଦା ହେବାକୁ ପଡ଼ିଥିଲା। ଧଓ୍ୱନଙ୍କୁ କେବଳ ଦିନିକିଆରେ ଦେଖିବାକୁ ମିଳିବ ବୋଲି କ୍ରିକେଟ ପ୍ରେମୀ ଆଶା କରୁଥିଲେ।ମାତ୍ର ଧଓ୍ୱନ ଦିନିକିଆରୁ ମଧ୍ୟ ବାଦ ପଡ଼ିଛନ୍ତି। ଧଓ୍ୱନ ବର୍ତ୍ତମାନ ସୁଦ୍ଧା ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଓ ୬୮ଟି ଟି୨୦ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୨୩୧୫, ଦିନିକିଆରେ ୬୭୯୩ ଓ ଟି୨୦ରେ ୧୭୫୯ ରନ କରିଥିଲେ।
