ଧାମନଗର ଉପନିର୍ବାଚନ ! ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ : ସିଇଓ
ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଏହି ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ରାଜନୈତିକ ଦଳମାନେ ପ୍ରୟାସ କରୁଥିବା ବାରମ୍ବାର ଅଭିଯୋଗ ହେଉଛି । ଏହା ଉପରେ ପ୍ରତିକ୍ରିୟା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ
କହିଛନ୍ତି ତଥ୍ୟ ସମ୍ବଳିତ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜନୈତିକ ଦଳମାନେ ପରସ୍ପର ବିରୋଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ କରୁଛନ୍ତି । ତୁରନ୍ତ ଜିଲ୍ଲାପାଳଙ୍କ ନିକଟକୁ ଏହାକୁ ପଠାଯାଇ ଭେରିଫିକେସନ କରାଯାଉଛି । ୪୮ ଘଂଟା ଭିତରେ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରୁ ରିପୋର୍ଟ ମଗାଯାଉଛି । ଅନ୍ୟପକ୍ଷରେ ଏସଏଚ୍ଜି ମହିଳା ଟଙ୍କା ବଂଟା ଭାଇରାଲ ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇ ଏଫଆଇଆର କରାଯାଇଛି । ଏହାବାଦ କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି ଏଫଆଇଆର କରାଯାଇଛି ।
ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି, ଧାମନଗର ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ପ୍ରଚାର ସରିବ । ୩ ତାରିଖରେ ନିର୍ବାଚନ ହେବ । ୬ ତାରିଖରେ କାଉଂଟିଂ ହେବ ଓ ରେଜଲ୍ଟ ପ୍ରକାଶ ପାଇବ । ଧାମନଗରରେ ନିରପେକ୍ଷ ନିର୍ବାଚନ କରିବା ନିମନ୍ତେ ୧୧୦୮ ପୋଲିଂ ପର୍ସନ ନିୟୋଜିତ ହେବେ । ସେମାନେ ୨ ରାଉଣ୍ଡ ଟ୍ରେନିଂ ନେଇ ସାରିଛନ୍ତି । ଯେଉଁମାନଙ୍କୁ ପୋଲିଂ ପର୍ସନ ଭାବେ ନିୟୋଜିତ କରାଯାଇଛି, ସେମାନେ ଯେପରି ଉକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ହୋଇ ନ ଥିବେ ବା ସେଠାରେ ସରକାରୀ ନିଯୁକ୍ତି ପାଇ ନ ଥିବେ ତାହା ଉପରେ କଡ଼ା ନଜର ରଖାଯାଇଛି । ଫଳରେ ନିରପେକ୍ଷ ଭୋଟ ଗ୍ରହଣ ହୋଇପାରିବ ।
ଚଳିତ ବର୍ଷ ଧାମନଗର ଉପନିର୍ବାଚନରେ ୫୦% ବୁଥ୍ ରେ ୱେବକାଷ୍ଟ ହେବ । ଧାମନଗର ଉପନିର୍ବାଚନକୁ ସୁରୁଖୁରୁରେ କରିବା ନିମନ୍ତେ ୨ ଜଣେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଂଚି ସାରିଛନ୍ତି । ସେମାନେ ହେଲେ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍ ଅଫିସର ନିରଞ୍ଜନ କୁମାର(ଫୋନ୍ ନମ୍ବର- ୭୮୫୪୮୨୬୫୦୯) ଏବଂ ରେଭିନ୍ୟୁ ଅଫିସର ଭାବେ ପ୍ରଣେଶ ଗୁପ୍ତା (ଫୋନ୍ ନଂ – ୮୨୬୦୭୪୫୬୨୬) । ସେମାନେ ନିର୍ବାଚନ ପ୍ରକ୍ରିୟା ଉପରେ କଡ଼ା ନଜର ରଖିବା ସହ ଏହାକୁ ଅନୁଧ୍ୟାନ କରୁଛନ୍ତି । ନିର୍ବାଚନ ପ୍ରକ୍ରିୟାକୁ ନେଇ ଯାହାର କିଛି ଅଭିଯୋଗ ଥିବ ସେମାନେ ଏହି ୨ ଅଫିସରଙ୍କୁ ଯୋଗାଯୋଗ କରି ଅଭିଯୋଗ କରିପାରିବେ ବୋଲି କହିଛନ୍ତି ସୁଶୀଲ ଲୋହାନୀ ।
ଶାନ୍ତିଶୃଙ୍ଖଳାର ସହ ଧାମନଗରରେ ଉପନିର୍ବାଚନ କରିବାକୁ ୨ କମ୍ପାନୀ ସିଆରପିଏଫ୍, ୨ କମ୍ପାନୀ ବିଏସଏଫ ଓ ୧୦ ପ୍ଲାଟୁନ ରାଜ୍ୟ ପୁଲିସ୍ ମୁତୟନ ହେବେ । ଆସନ୍ତା ୧ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କର୍ମଚାରୀମାନେ ନିଜ ନିଜ ବୁଥ୍ ଅଭିମୁଖେ ଯିବେ । ଧାମନଗରରେ ୧୦୬ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୮୦ ବର୍ଷରୁ ବୟସ୍କ ଭୋଟର ଓ ଭିନ୍ନକ୍ଷମଙ୍କ ନିମନ୍ତେ ପୋଷ୍ଟାଲ ବାଲାଟର ବ୍ୟବସ୍ଥା ହୋଇଛି । ଧାମନଗରର ୫୦୫ ଜଣ ଭୋଟର ପୋଷ୍ଟାଲ ଭୋଟ ଦେବାକୁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୪୯୬ ଭୋଟରଙ୍କ ପୋଷ୍ଟାଲ ବାଲାଟ ସଂଗୃହୀତ ହୋଇ ଯାଇଛି । ନିର୍ବାଚନ ପୂର୍ବରୁ ଆଇନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ବେଳେ ୬୪୧ଟି ଲାଇସେନ୍ସ ବନ୍ଧୁକ ବିଭିନ୍ନ ଧାରାରେ ଡିପୋଜିଟ ହୋଇ ଯାଇଛି । ୧୯୦୯ ଲୋକଙ୍କୁ ବୁକ୍ କରାଯାଇଛି । ୧୭୨ଟି ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି । ୧୫ ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ଜବତ ହୋଇଛି ।
