ଧାମନଗର ଉପ-ନିର୍ବାଚନ ପ୍ରକ୍ରିୟା ସୁରୁଖୁରରେ ଚାଲିଛି : ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର : ପାଖେଇ ଆସିଲାଣି ଧାମନଗର ଉପ-ନିର୍ବାଚନ। ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀଙ୍କ ସାମ୍ବାଦିକ ସମ୍ମିଳନୀ । ଧାମନଗର ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରରେ ଚାଲିଛି। ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ପ୍ରଚାର ସରିବ। ୩ ତାରିଖରେ ନିର୍ବାଚନ ହେବ। ୬ ତାରିଖରେ କାଉଣ୍ଟିଂ ହେବ ଓ ରେଜଲ୍ଟ ପ୍ରକାଶ ପାଇବ।
ଧାମନଗରରେ ନିରପେକ୍ଷ ନିର୍ବାଚନ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅବାଧ ନିର୍ବାଚନ କରାଯିବା ନିମନ୍ତେ ୧୧୦୮ ପୁଲିଂ ପର୍ସନ ନିୟୋଜିତ ହେବେ। ସେମାନେ ୨ ରାଉଣ୍ଡ ଟ୍ରେନିଂ ନେଇ ସାରିଛନ୍ତି। ଯେଉଁମାନଙ୍କୁ ପୁଲିଂ ପର୍ସନ ଭାବେ ନିୟୋଜିତ କରାଯାଇଛି, ସେମାନେ ଯେପରି ଉକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ହୋଇ ନ ଥିବେ ବା ସେଠାରେ ସରକାରୀ ନିଯୁକ୍ତି ପାଇ ନ ଥିବେ ତାହା ଉପରେ କଡ଼ା ନଜର ରଖାଯାଇଛି। ଫଳରେ ନିରପେକ୍ଷ ଭୋଟ ଗ୍ରହଣ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଚଳିତ ବର୍ଷ ଧାମନଗର ଉପନିର୍ବାଚନରେ ୫୦% ବୁଥ୍ରେ ୱେବକାଷ୍ଟ ହେବ। ଫଳରେ ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ମୁଖ୍ୟ ନିର୍ବାଚନ କମିଶନ ନିଜ କାର୍ଯ୍ୟାଳୟରେ ଏହାକୁ ନିରୀକ୍ଷଣ କରିପାରିବେ।
ଧାମନଗର ଉପନିର୍ବାଚନକୁ ସୁରୁଖୁରରେ କରିବା ନିମନ୍ତେ ୨ ସେଣ୍ଟ୍ରାଲ ଅବଜରଭର ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍ ନିରଞ୍ଜନ କୁମାର। ତାଙ୍କ ଫୋନ୍ ନଂ ହେଲା ୭୮୫୪୮୨୬୫୦୯। ସେହିପରି ରେଭିନ୍ୟୁ ଅଫିସର ଭାବେ ପ୍ରଣେଶ ଗୁପ୍ତା ଓଡ଼ିଶା ଆସିଛନ୍ତି। ତାଙ୍କ ଫୋନ୍ ନଂ ହେଉଛି ୮୨୬୦୭୪୫୬୨୬। ସେମାନେ ନିର୍ବାଚନ ପ୍ରକ୍ରିୟା ଉପରେ କଡ଼ା ନଜର ରଖିବା ସହ ଏହାକୁ ଅନୁଧ୍ୟାନ କରୁଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ନେଇ ଯାହାର କିଛି ଅଭିଯୋଗ ଥିବ ସେମାନେ ଉକ୍ତ ୨ ଅଫିସରଙ୍କୁ ଯୋଗାଯୋଗ କରି ଅଭିଯୋଗ କରିପାରିବେ ବୋଲି କହିଛନ୍ତି ସୁଶୀଲ ଲୋହାନୀ।ଶାନ୍ତିଶୃଙ୍ଖଳାର ସହ ଧାମନଗରରେ ଉପନିର୍ବାଚନ କରିବାକୁ ୨ କମ୍ପାନୀ ସିଆରପିଏପ୍ ଓ ୨ କମ୍ପାନୀ ବିଏସଏଫ ଓ ୧୦ ପ୍ଲାଟୁନ ରାଜ୍ୟ ପୁଲିସ୍ ମୁତୟନ ହେବେ। ଆସନ୍ତା ୧ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କର୍ମଚାରୀମାନେ ନିଜ ନିଜ ବୁଥ୍ ଅଭିମୁଖେ ଯିବେ। ଧାମନଗରରେ ୧୦୬ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ୮୦ ବର୍ଷରୁ ବୟସ୍କ ଭୋଟର ଓ ଭିନ୍ନକ୍ଷମଙ୍କ ନିମନ୍ତେ ପୋଷ୍ଟାଲ ବାଲାଟର ବ୍ୟବସ୍ଥା ହୋଇଛି। ଧାମନଗରର ୫୦୫ ଜଣ ଭୋଟର ପୋଷ୍ଟାଲ ଭୋଟ ଦେବାକୁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୯୬ ଭୋଟରଙ୍କ ପୋଷ୍ଟାଲ ବାଲାଟ ସଂଗୃହୀତ ହୋଇ ଯାଇଛି।ନିର୍ବାଚନ ପୂର୍ବରୁ ଆଇନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ବେଳେ ୬୪୧ ଲାଇସେନ୍ସ ବନ୍ଧୁକ ବିଭିନ୍ନ ଧାରାରେ ଡିପୋଜିଟ ହୋଇ ଯାଇଛି। ୧୯୦୯ ଲୋକଙ୍କୁ ବୁକ୍ କରାଯାଇଛି। ୧୭୨ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି। ୧୫ ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ଜବତ ହୋଇଛି।
ରାଜନୈତିକ ଦଳମାନେ ପରସ୍ପର ବିରୋଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ କରୁଛନ୍ତି। ତୁରନ୍ତ ଜିଲ୍ଲାପାଳଙ୍କ ନିକଟକୁ ଏହାକୁ ପଠା ଯାଇ ଭେରିଫିକେନ କରାଯାଉଛି। ୪୮ ଘଣ୍ଟା ଭିତରେ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରୁ ରିପୋର୍ଟ ମଗାଯାଉଛି। ତଥ୍ୟ ସମ୍ବଳିତ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଏବେ ଧାମନଗରର ୨ଟି ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେଥି ମଧ୍ୟରୁ ଏସଜିଏଚ ମହିଳା ଟଙ୍କା ବଣ୍ଟା ଭାଇରାଲ ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇ ଏଫଆଇଆର ପଞ୍ଜିକୃତ କରାଯାଇଛି। ଏହାବାଦ କୋଟିଏ ଟଙ୍କା ଅଫର ଦେବା ପ୍ରସଙ୍ଗରେ ବି ଏଫଆଇଆର ପଞ୍ଜିକୃତ କରାଯାଇଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀ।
