ସାକ୍ଷୀଗୋପୀନାଥଙ୍କ ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ସାକ୍ଷିଗୋପାଳ : ପବିତ୍ର କାର୍ତିକ ପୂର୍ଣ୍ଣମୀ ତିଥିରେ ଆଜି ସାକ୍ଷୀଗୋପୀନାଥଙ୍କ ଲକ୍ଷ୍ମୀ ନାରାୟଣ ବେଶ ବା ସୁନାବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଏହି ଅବସରରେ ସାକ୍ଷିଗୋପାଳ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ କୋଭିଡ଼୍ କଟକଣା ଅନୁପାଳନ ପୂର୍ବକ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଠାକୁର ଦର୍ଶନ କରିଛନ୍ତି । ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି । ପଚଂକର ଅନ୍ତିମ ଦିବସ କାର୍ତିକ ପୂର୍ଣ୍ଣମୀରେ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ ଉତ୍ସବକୁ ମନେ ପକାଇ ଭୋରରୁ ବିଭିନ୍ନ ଗ୍ରାମ୍ୟ ପୁଷ୍କରିଣୀ ଓ କେନାଲରେ ଡ଼ଙ୍ଗା ଭସାଇବା ସହ ମନ୍ଦିର ଦର୍ଶନରେ ଯାଇଥିଲେ ।
ଦେବନୀତି ନିମନ୍ତେ ଭୋର୍ ୪ଟାରେ ମନ୍ଦିର ଦ୍ୱାରଫିଟା, ମଙ୍ଗଳ ଆଳତୀ, ବେଶ ମଇଲମ, ମର୍ଦ୍ଦନ, ଅବକାଶ ଆଦି ନୀତି ସମ୍ପନ୍ନ ହୋଇଥିଲା । ସିଂହାରୀ ସେବକ ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶ ବା ସୁନାବେଶରେ ସଜ୍ଜିତ କରିଥିଲେ । ସାକ୍ଷୀଗୋପାଳ ଓ ମା ରାଧାରାଣୀ ପାଟ ପୀତାମ୍ବରୀ ବସ୍ତ୍ର ସହ ସୁବର୍ଣ୍ଣ ବଂଶୀ, କିରଟୀ, କୁଣ୍ଡଳ, ହୀରା ମୁଦ୍ରିକା, ନୋଥ, ଗୁଣା, ଚନ୍ଦନପାଟ୍ଟି, ପାଉଁଜି, ଖଡ଼ୁ ସହ ଅନ୍ୟାନ୍ୟ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା । ଏହି ଅବସରରେ ନଗର କୀର୍ତନ, ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଅଂଚଳ ।
