ପ୍ରତ୍ୟେକ କାର୍ଯ୍ୟର ସୂତ୍ରଧର ଓ ସୃଷ୍ଟିକର୍ତା ଦେବଶିଳ୍ପୀ ବିଶ୍ୱକର୍ମା
ବେଦ ଓ ପୌରାଣିକ ତଥ୍ୟ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟର ସୂତ୍ରଧର ଓ ସୃଷ୍ଟିକର୍ତା ହେଉଛନ୍ତି ବିଶ୍ୱକର୍ମା । ସେ ଦେବତାମାନଙ୍କର ସମସ୍ତ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦେବଶିଳ୍ପୀ ବୋଲି ଅଭିହିତ କରାଯାଇଛି । ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତ କାର୍ଯ୍ୟ ତାଙ୍କ ଦ୍ୱାରା ସାଧିତହୋଇଥାଏ ବୋଲି ବେଦ କହୁଛି । ମର୍ତ୍ୟପୁରରେ ଥିବା ଶିଳ୍ପୀମାନେ ତାଙ୍କର ସନ୍ତାନ, ସେ ହେଉଛନ୍ତି ଶିଳ୍ପ ଜଗତର ସ୍ରଷ୍ଟା ।
ଦେବ ଶିଳ୍ପୀ ମହାଭାଗ ଦେବାନାଂ କାର୍ଯ୍ୟସାଧନ ।
ବିଶ୍ୱକର୍ମ ନମସ୍ତୁଭ୍ୟଂ ସର୍ବାଭିଷ୍ଟ ପ୍ରଦାୟକ । ।
ହେ ଦେବ ଶିଳ୍ପୀ, ମହାଭାଗ, ଦେବତା ମାନଙ୍କର ଦେବତା ମାନଙ୍କର କାରୁକାର୍ଯ୍ୟ ସାଧକ ସର୍ବାଭିଷ୍ଟା ପ୍ରଦାନକାରୀ, ହେ ବିଶ୍ୱକର୍ମା ତୁମକୁ ନମସ୍କାର । ବିଶ୍ୱକର୍ମା ବୈଦିକ ଓ ପୌରାଣିକ ଦେବତା ତାଙ୍କର ଗୁଣ ଭିନ୍ନ ଭିନ୍ନ ରୂପରେ ପ୍ରତିପାଦିତ ହୋଇଛି । ଋଗ୍ବେଦର ଦଶମ ମଣ୍ଡଳରେ ଦୁଇଟି ସୂକ୍ତରେ ବିଶ୍ୱକର୍ମାଙ୍କ ସ୍ତୁତି ଅଛି । ଯଇମା ବିଶ୍ୱ ଭୂବନାନୀ ଜୁହ୍ୱଦୃଷି ହେତା ନ୍ୟସାଦତପିତାନଃ
ଅର୍ଥାତ୍: ବିଶ୍ୱକର୍ମା ବିଶ୍ୱ ଭୂବନରେ ଯଜ୍ଞ କରନ୍ତି ସେ ହୋତା, ଋଷି, ସେ ଆମ୍ଭମାନଙ୍କର ପିତା । ସେହି ଭଳି ଅଥର୍ବବେଦରେ ବିଶ୍ୱକର୍ମା ସର୍ବସ୍ୟ କର୍ତା ରୂପେ ବର୍ଣ୍ଣନା କରାଯାଇଛି । ତୁମ୍ଭେ ବିଶ୍ୱଦେବ, ଇନ୍ଦ୍ରଙ୍କୁ ଅଭିଭୂତ କରିଛ, ସୂର୍ଯ୍ୟଙ୍କୁ ପ୍ରକାଶିତ କରୁଥାଅ ଇତ୍ୟାଦି । ଯର୍ଜୁବେଦରେ ବିଶ୍ୱକର୍ମାଙ୍କୁ ଦକ୍ଷିଣା ବୋଲି କୁହାଯାଇଛି । ଦକ୍ଷିଣା ଶବ୍ଦର ଅର୍ଥ ପ୍ରସନ୍ନ ।ବିଶ୍ୱ କରୋତି ସର୍ବଂ ସୃଜତୀତି ବିଶ୍ୱକର୍ମା ବାୟୁରୟଂ ଦକ୍ଷିଣା ଦକ୍ଷିଣସ୍ୟାଂ ଦିଶି ଆର୍ଯ୍ୟା ବର୍ତାତ୍ ଭୂୟୋବାଚି
ଆଚାର୍ଯ୍ୟ ମହୀଧର କୁହନ୍ତି ବିଶ୍ୱକର୍ମା ବାୟୁ ରୂପରେ ବିଚରଣ କରନ୍ତି । ସେହିପରି ବୃହଦେବଙ୍କ ମତରେ ସେ ହେଉଛନ୍ତି ବର୍ଷାକାଳିନ ସୂର୍ଯ୍ୟ । ସେ କୁହନ୍ତି ଗ୍ରୀଷ୍ମ ମାସ ଅତିକ୍ରାନ୍ତ ହେଲେ ପୃଥିବୀ ରହିପାରେନା । ବିଶ୍ୱର କର୍ମ(କୃଷିକର୍ମ)ସୃଷ୍ଟି କରନ୍ତି ତାଙ୍କୁ ବିଶ୍ୱକର୍ମା କୁହାଯାଏ । ବିଶ୍ୱକର୍ମାଙ୍କ ଜନ୍ମ ବୃତାନ୍ତ ସମ୍ପର୍କରେ ଭିନ୍ନ ଭିନ୍ନ ମତ ଉପସ୍ଥାପନ କରା ଯାଇଛି । ବେଦରେ ବିଶ୍ୱକର୍ମାଙ୍କୁ ଅଯାତ ପୁରୁଷ ରୂପେ ବର୍ଣ୍ଣନା କରାଯାଇଛି ।ବ୍ରହ୍ମ ବୈବର୍ତ ପୁରାଣରେ ବ୍ରହ୍ମାଙ୍କ ନାଭିଦେଶରୁ ବିଶ୍ୱକର୍ମାଙ୍କ ଜନ୍ମ । ପୌରାଣିକ ମତରେ ଦେବଶିଳ୍ପୀ ଭାବରେ ବର୍ଣ୍ଣିତ । ମାନବ ଶିଳ୍ପୀମାନେ ବିଶ୍ୱକର୍ମାଙ୍କ ପ୍ରବର୍ତିତ ଶିଳ୍ପ ସାଧନାକୁ ଉପଜିବ୍ୟ କରି ବଂଚିରହିଛନ୍ତି । ମତ୍ସ ପୁରାଣରେ ଉଲ୍ଲେଖ ଅଛି, କୂପ ଓ ତଡ୍ଗାଦୀ ଖନନ, ପ୍ରତିମାଦି ଗଠନ, ଗୃହ ଉଦ୍ୟାନର ପରିକଳ୍ପନା, ସମସ୍ତ ଶିଳ୍ପର ଉଦ୍ଭାବକ ଓ କାର୍ଯ୍ୟକାରଙ୍କ ବିଶ୍ୱକର୍ମା । ଦେବତା ମାନଙ୍କ ପାଇଁ ନୂତନ ଧରଣର ଅସ୍ତ୍ର ବିଶ୍ୱକର୍ମା ପ୍ରସ୍ତୁତ କରିଥାନ୍ତି ।
କୁବେରଙ୍କ ଅଳକାପୁରୀ, ଦ୍ୱାରକା ନଗର, ରାବଣର ସ୍ୱର୍ଣ୍ଣ ଲଙ୍କାପୁରୀ, ଯଦୁପତି ଶ୍ରୀକୃଷ୍ଣଙ୍କ ଇଚ୍ଛା ଅନୁଯାୟୀ ନଗର ପ୍ରତିଷ୍ଠା, ବନ୍ଧୁ ସୁଦାମାଙ୍କ ବାସଭବନ ଇତ୍ୟାଦି ପ୍ରଭୂ ବିଶ୍ୱକର୍ମାଙ୍କ ବାସ୍ତୁବିଦ୍ୟା ଓ ନଗର ପରିକଳ୍ପନା ଜ୍ଞାନର ଜ୍ୱଳନ୍ତ ଦୃଷ୍ଟାନ୍ତ । ବିଶ୍ୱକର୍ମା କେବଳ ଜଣେ ଶିଳ୍ପୀ ନୁହନ୍ତି, ସେ ଶିଳ୍ପୀ ସମାଜର ସ୍ରଷ୍ଟା ବା ଜନ୍ମଦାତା ଅଟନ୍ତି । ପ୍ରଭୂ ଶ୍ରୀରାମଙ୍କ ପାଇଁ ବିଶାଳ ସମୁଦ୍ର ବକ୍ଷରେ ସେତୁ ନିର୍ମାଣ କରିଥିଲେ । ବାନର ଶିଳ୍ପୀ “ନଳ” ହେଉଛନ୍ତି ବିଶ୍ୱକର୍ମାଙ୍କ ପୁତ୍ର । ବିଷ୍ଣୁ ପୁରାଣରେ ବର୍ଣ୍ଣିତ ଶିଳ୍ପୀ “ତ୍ୱଷ୍ଟ” ବିଶ୍ୱକର୍ମାଙ୍କ ସନ୍ତାନ । ବାୟୁ ଓ ପଦ୍ମ ପୁରାଣ ମତରେ ଦୈତ ଶିଳ୍ପୀ “ମୟ” ମଧ୍ୟ ବିଶ୍ୱକର୍ମାଙ୍କ ସନ୍ତାନ । ଦୈତରାଜ ପ୍ରହ୍ଲାଦଙ୍କ କନ୍ୟା ବିରୋଚନାଙ୍କ ଗର୍ଭରୁ ବିଶ୍ୱକର୍ମାଙ୍କ ଔରସରୁ “ମୟ” ର ଜନ୍ମ । ବ୍ରହ୍ମ ବୈବର୍ତ ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ଦେବନର୍ତକୀ ଘୃତଚି ଓ ବିଶ୍ୱକର୍ମା ଶାପଗ୍ରସ୍ତ ହୋଇ ମର୍ତ୍ୟଧାମରେ ଜନ୍ମ ଗ୍ରହଣ କରିଥିଲେ । ସେ ସମୟରେ ମର୍ତ୍ୟପୁରରେ ଜନ୍ମ ନେଇଥିବା ସନ୍ତାନମାନେ କର୍ମକାର, କାଂସକାର, ଶଂଖାକାର, ସୁତ୍ରଧର, କୁମ୍ଭକାର, ଚିତ୍ରକାର, ପ୍ରଭୃତି ସଂପ୍ରଦାୟ ଗୁଡିକ ଶିଳ୍ପଜିବୀ ବିଶ୍ୱକର୍ମାଙ୍କ ବଂଶଧର ବୋଲିୁ କୁହାଯାଉଛି । ଧ୍ୟାନ ମନ୍ତ୍ରରେ ବିଶ୍ୱକର୍ମାଙ୍କୁ କୁହାଯାଇଛି । ବାସନା ମାନଦଣ୍ଡ ଧୃକ୍ । ବାସନା ଅର୍ଥରେ ମାଲ୍ୟ ଚନ୍ଦନାଦୀ ସାହାଯ୍ୟରେ ସୁଗନ୍ଧିକରଣ, ମାନଦଣ୍ଡ ଅର୍ଥରେ ପରିମାପ ଦଣ୍ଡ । ବିଶ୍ୱକର୍ମାଙ୍କ କଣ୍ଠରେ ମାଲ୍ୟ, ଲଲାଟରେ ଚନ୍ଦନ, କୁଙ୍କୁମ, ସର୍ବାଙ୍ଗରେ ଗନ୍ଧାନୁ ଲେପନ, ହସ୍ତରେ ମାନଦଣ୍ଡ ।
ବିଶ୍ୱକର୍ମାଙ୍କ ସୃଷ୍ଟି ଧର୍ମ ଓ ଶିଳ୍ପ କର୍ମ କ୍ଷେତ୍ରରେ ଏଭଳି ରୂପର ତାତ୍ପର୍ଯ୍ୟ ରହିଛି । ଅନ୍ୟ ଅର୍ଥରେ ଗନ୍ଧ ପୃଥିବୀର ଗୁଣ । ବିଶ୍ୱକର୍ମା ଏହି ପୃଥିବୀର ସ୍ରଷ୍ଟା ତେଣୁ ସୃଷ୍ଟି ସୌରଭ ସେ ନିଜ ଅଙ୍ଗରେ ମାଖି ନେଇଛନ୍ତି । ସ୍ରଷ୍ଟାର ସୃଷ୍ଟି କେବଳ ରୂପ ବୈଭବ ଓ ଶିଳ୍ପ ବୈଭବର ଆଧାର ନୁହେଁ । ରସ ଗନ୍ଧାଦୀରେ ସମସ୍ତଙ୍କ ଚିତ ହରଣ କରିଛନ୍ତି । ହସ୍ତରେ ଥିବା ମାନଦଣ୍ଡ ବା ପରିମାପଦଣ୍ଡ ସ୍ରଷ୍ଟାର ସୃଷ୍ଟି ପ୍ରକାଶ ସୁପରିକଳ୍ପିତ ଭିତି ଉପରେ ପ୍ରତିଷ୍ଠିତ । ସେ ଯେପରି ମାପି ଚୁପି ନିର୍ମାଣ କରିଛନ୍ତି । ଜଗତର ନାଥ ଜଗନ୍ନାଥ ଅଧାଗଢା ମୂର୍ତି ବୃଦ୍ଧା ବିନ୍ଧାଣୀ ରୂପରେ ସ୍ୱୟଂ ବିଶ୍ୱକର୍ମା ନିର୍ମାଣ କରିଥିଲେ ବୋଲି ବର୍ଣ୍ଣିତ ଅଛି । ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ ସାରିବା ପରେ ମୂର୍ତି ପାଇଁ ବାଙ୍କୀ ମୁହାଣରେ ଭାସୁଥିବା ଦାରୁରେ ମୂର୍ତି ନିର୍ମାଣ ହେବ ବୋଲି ସ୍ୱପ୍ନାଦେଶ ହେଲା । ମୂର୍ତି ନିର୍ମାଣ ପାଇଁ ଦେଶ ବିଦେଶରୁ ଦକ୍ଷ ଶିଳ୍ପୀମାନେ ଆସିଲେ କିନ୍ତୁମୂର୍ତି ନିର୍ମାଣ ପୂର୍ବରୁ ନିହାଣ ମୂନ ବଙ୍କା ହୋଇଗଲା । ସମସ୍ତେ ଫେରି ପଳାଇବାକୁ ବାଧ୍ୟ ହେଲେ । ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ମଧ୍ୟରେ ଭାଳେଣି ପଡିଲା୍ୱୂର୍ତି ତିଆରି ହେବ କିପରି? ରାଜା ରାଣୀ ପ୍ରଭୂଙ୍କୁ ସୁମରଣ କରନ୍ତେ ହଠାତ୍ ଏକ ବୃଦ୍ଧ ବିନ୍ଧାଣୀ(ବିଶ୍ୱକର୍ମା) ଉପସ୍ଥିତ ହୋଇ ରାଜାଙ୍କ ସହିତ ସର୍ତ ରଖିଲେ, ୨୧ ଦିନ ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ଖୋଲିବ ନାହିଁ । ମନ୍ଦିର ମଧ୍ୟରେ ଠକ୍ ଠକ୍ ଶବ୍ଦ ଶୁଭୁଥାଏ । ଦିନେ ରାଣୀ ଗୁଣ୍ଡିଚା ମନ୍ଦିର ଦେଖିବାପାଇଁ ଆସିଥାନ୍ତି, ଶବ୍ଦ ନଶୁଭିବାରୁ ଭାବିଲେ ବୁଢା ବଢେଇ ନଖାଇ ନପିଇ ମୃତ୍ୟୁବରଣ କରିଛି । ମନ୍ଦିର ଅପବିତ୍ର ହେଲା । ରାଜାଙ୍କୁ କହି ମନ୍ଦିର କବାଟ ଖୋଲିବାରୁ ଜଗନ୍ନାଥଙ୍କର ଅଧାଗଢା ମୂର୍ତି, ବୃଦ୍ଧା ବିନ୍ଧାଣୀ ନାହାନ୍ତି, ରାଜା ରାଣୀ କ୍ରନ୍ଦନ କରି ନିଜକୁ ଧିକ୍କାର କଲେ । ଶୂନ୍ୟବାଣୀ ହେଲା ରାଜା ବ୍ୟସ୍ତ ହୁଅ ନାହିଁ । ମୋର ଯେଉଁ ରୂପ ହେବାର ଇଚ୍ଛା ଥିଲା ମୋର ସେହି ରୂପ ପୂଜା ପାଇବ । ସେହିଭଳି ଲକ୍ଷ୍ମୀପୁରାଣରୁ ଜଣାଯାଏ, ବିଶ୍ୱକମାୀଙ୍କ ଘର ବୈକୁଣ୍ଠପୁର । ମାତା ଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଯାଇଥିବାରୁ ବଡଭାଇ ବଳଭଦ୍ରଦେବଙ୍କ ପ୍ରରୋଚନାରେ ମାତା ଲକ୍ଷ୍ମୀଙ୍କୁ ମନଦିରରୁ ବାହାର କରିଦେଲେ ।
ଏତେ ବୋଲି ଲକ୍ଷ୍ମୀ ଦେବୀ ମନେ ଚିନ୍ତା କଲେ ବିଶ୍ୱକର୍ମାଙ୍କୁ ଯେମାଏ ମନେ ସୁମରିଲେ । ।
ବୈକୁଣ୍ଠ ପୁରରେ ବିଶ୍ୱକର୍ମା ରହିଥିଲେ
ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲେ । ।
କିସ ଆଜ୍ଞା ହେଉ ମୋତେ ଲକ୍ଷ୍ମୀ ମହାଦେଈ
ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାଙ୍କୁ ଯେ ଚାହିଁ । ।
ଆଜ୍ଞା ମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲେ
ତିନି କୋସ ପ୍ରମାଣେ ଉଆସ ତୋଳାଇଲେ । ।
ମାତା ଲକ୍ଷ୍ମୀ ବିଶ୍ୱକର୍ମାଙ୍କୁ ସ୍ମରଣ କରିବାରୁ ବୈକୁଣ୍ଠପୁରରୁ ବିଶ୍ୱକର୍ମା ଆସିମାତା ଲକ୍ଷ୍ମୀଙ୍କ ପାଇଁ ଉଆସ ତିଆରି କରିଥିଲେ । ସେହି ଦେବ ଶିଳ୍ପୀ ପ୍ରଭୂ ବିଶ୍ୱକର୍ମା ଗଜତର ମଙ୍ଗଳ କାମମା କରିଥାନ୍ତୁ । ମାନବ ସମାଜକୁ ଆଶିର୍ବାଦ ରୂପକ ରଜ୍ଜୁରେ ବାନ୍ଧିରଖିଥାନ୍ତୁ ।
