ଶ୍ରୀମନ୍ଦିରରେ ଦେବ ଦୀପାବଳି, ଶ୍ରାଦ୍ଧବେଶ ଦର୍ଶନ କଲେ ଶ୍ରଦ୍ଧାଳୁ
ପୁରୀ : ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଠାରୁ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଆରମ୍ଭ ହୋଇଛି । ଏହାସହ ଶ୍ରୀଜୀଉମାନେ ଶ୍ରାଦ୍ଧ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ମଙ୍ଗଳବାର ଚତୁର୍ଥୀ ତିଥିରେ ମହାପ୍ରଭୁ ପିତୃପୁରୁଷ ଆଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଅର୍ପଣ କରିଛନ୍ତି । ବୁଧବାର ଅମାବାସ୍ୟାରେ କୌଶଲ୍ୟା ଓ ଦଶରଥଙ୍କୁ ଶ୍ରାଦ୍ଧ ଅର୍ପଣ କରିବେ ।
ପ୍ରତିପଦା ଦିନ ବାସୁଦେବ, ଦେବକୀ ଓ ନନ୍ଦ ଯଶୋଦା,ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରିବେ । ଶେଷ ଦେବ ଦୀପାବଳି ଉତ୍ସବ ପାଳନ ହେବ । ଶ୍ରୀଜଗନ୍ନାଥ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି ଅର୍ପଣ କରିବେ । ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଶ୍ରାଦ୍ଧ ବେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥିଲେ । ଠାକୁରମାନେ ସାଧା ଧଳାବସ୍ତ୍ର ପରିହିତ କରିଥାନ୍ତି । ଶ୍ରାଦ୍ଧ ବେଶରେ ମଧ୍ୟ ଠାକୁରମାନଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ତଡ଼ଗୀ,ନଳିଭୂଜ, ଚନ୍ଦ୍ର,ସୂର୍ଯ୍ୟ, କୁଣ୍ଡଳ,ଆଡ଼କାନି,ହରିଡ଼ାମାଳି, ଅଂଟା କମରପଟିରେ ସଜ୍ଜିତ ହୋଇଥାନ୍ତି । ଶ୍ରୀମନ୍ଦିରକୁ ଆଲୋକମାଳାରେ ସଜ୍ଜିତ କରାଯାଇଥିବା ବେଳେ ପ୍ରତିଦିନ ଦୀପଦାନ କରାଯିବ ।
