କଟକଣା ସତ୍ତ୍ୱେ ଡଙ୍ଗା ଭସାଣି : କଦଳୀ ପଟୁଆରେ ପାନ ଗୁଆ ଥୋଇ ଗାଇଲେ ଆ କା ମା ବୈ…
ଭୁବନେଶ୍ୱର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କିନ୍ତୁ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷମାନଙ୍କ ଭଳି ଏ ବର୍ଷ ଲୋକଙ୍କ ଭିତରେ ସେଭଳି ଉତ୍ସାହ ପରିଲକ୍ଷିତ ହୋଇନାହିଁ। ସତ କହିବାକୁ ଗଲେ ଡଙ୍ଗା ଭସାଣି ଫିକା ପଡ଼ିଛି। ଲୋକେ ଠିକ୍ ଭାବରେ ଡଙ୍ଗା ଭସାଇ ପାରି ନଥିବା ପରିଲକ୍ଷିତ ହୋଇଛି। ତଥାପି ରାଜ୍ୟର କେତେକ ସ୍ଥାନରେ ଲୋକେ ଡଙ୍ଗା ଭସାଣି କରିଥିବାର ସୂଚନା ମିଳିଛି। କରୋନା କଟକଣା ଯୋଗୁଁ ପ୍ରଭାବିତ ହୋଇଛି ବୋଇତ ବନ୍ଦାଣ। ରାଜଧାନୀ ଭୁବନେଶ୍ୱର ଓ କଟକର ସମସ୍ତ ଜଳାଶୟ, ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଣି ଉପରେ କଟକଣା ଜାରି କରାଯାଇଛି। ଏହା ସତ୍ତ୍ବେ ରାଜ୍ୟର କେତେକ ସ୍ଥାନରେ କଟକଣା ନମାନି ଲୋକେ ବୋଇତ ବନ୍ଦାଣ କରୁଥିବା ଦେଖିବାକୁ ମିଳିଛି।
ଏହି ଅବସରରେ ଭୋର୍ରୁ ଚଳଚଞ୍ଚଳ ହୋଇଉଠିଛି ମହୋଦଧି, ନଦୀ ଘାଟ ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ଦେବ ମନ୍ଦିର। ଶହ ଶହ ଶ୍ରଦ୍ଧାଳୁଙ୍କ ହୁଳହୁଳି ଓ ଆ କା ମା ବୈ ଗୀତରେ ପ୍ରକମ୍ପିତ ହୋଇ ଉଠିଛି ଗଗନ ପବନ। କଦଳୀ ପଟୁଆରେ ପାନ ଗୁଆ ଥୋଇ ଗାଇଛନ୍ତି ଆ କା ମା ବୈ, ପାନ ଗୁଆ ଥୋଇ-ପାନଗୁଆ ତୋର-ମାସକ ଯାକ ଧର୍ମ ମୋର। ଶ୍ରଦ୍ଧାଳୁମାନେ ପରମ୍ପରାର ପ୍ରତୀକ କଦଳୀପାଟୁକାରେ ତିଆରି ଡଙ୍ଗାରେ ଦୀପାଳି ଦେଇ ବେଶ୍ ଆଗ୍ରହର ସହିତ ନଦୀଘାଟରେ ଏହାକୁ ଭସାଇବାର ଦୃଶ୍ୟ ବେଶ ରୋମାଞ୍ଚକର ହୋଇଥିଲା। ପରେ ବହୁସଂଖ୍ୟକ ଶ୍ରଦ୍ଧାଳୁ ବିଭିନ୍ନ ଶ୍ରୀମନ୍ଦିରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ଦେବାଳୟ ଯାଇ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି।
ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ ଏହି ପୂର୍ଣ୍ଣିମା। କାର୍ତ୍ତିକ ମାସର ଶେଷ ୫ ଦିନ ହେଉଛି ପଞ୍ଚୁକ ବତ୍ର। କାର୍ତ୍ତିକ ପୂର୍ଣ୍ଣିମାରେ ରାଇ ଦାମୋଦର ବ୍ରତ ଉଦ୍ଯାପନ କରାଯାଇଥାଏ। ଏହି ଅବସରରେ କଦଳୀ ପଟୁଆରେ ନିର୍ମିତ ଡଙ୍ଗା ଭସାଇବା ବିଧି ପ୍ରଚଳିତ ରହିଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ହବିଷ୍ୟାଳୀମାନେ ମହୋଦଧିରେ ସ୍ନାନ କରି ଡଙ୍ଗା ଭସାଇଛନ୍ତି। ଆଜି ଭୋର୍ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମହୋଦଧି, ନରେନ୍ଦ୍ର, ଇନ୍ଦ୍ରଧନୁ, ମାର୍କଣ୍ଡ ଓ ପାର୍ବତୀସାଗର ପୁଷ୍କରିଣୀରେ ସ୍ନାନ କରିବା ସହ ‘ଆ କା ମା ବୈ…’ ଗୀତ ଗାଇ ଡଙ୍ଗା ଭସାଇଛନ୍ତି।
