ଆସୁଛି ଲଘୁଚାପ ! ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ଏହିସବୁ ଜିଲାକୁ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆସୁଛି ଲଘୁଚାପ । ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷିବ । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ ଓ ୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ବିଜୁଳି ଘଡ଼ିଘଡ଼ି ସହ ବର୍ଷା ପାଇଁ ୨୨ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ପ୍ରବଳ ବର୍ଷା ନେଇ ୩ ତାରିଖରେ ୧୮ ଜିଲ୍ଲା ଓ ୪ ତାରିଖ ପାଇଁ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାର କିଛି ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ରହିଛି । ୫ ତାରିଖରେ ବର୍ଷା ପ୍ରଭାବ କମିବ । ଦୁର୍ବଳ ମୌସୁମୀ ଯୋଗୁ ଅଗଷ୍ଟରେ ରାଜ୍ୟରେ ବର୍ଷା କମିଛି । ବଢ଼ିଛି ତାତି ଓ ଗୁଳୁଗୁଳି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଆହୁରି ୪୮ ଘଣ୍ଟା ଅନୁଭୂତ ହେବ ଗୁଳୁଗୁଳି। ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରେକର୍ଡ ହେଉଛି । ମୌସୁମୀ ଋତୁରେ ଏଯାଏ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୮ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ଜଣାଯାଇଛି ।
ଡ. ପଶୁପାଳକ କହିଛନ୍ତି, ଶୁକ୍ରବାର ସକାଳେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ରହି ୪ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ଦୁଇଦିନ ଏହା ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳଠାରୁ ଦୂରରେ ରହିବ । ପରେ ଏହା ପୁଣି ଉତ୍ତର ଆଡ଼କୁ ଗତି କରିବ । ୭ରୁ ୯ ତାରିଖ ଯାଏ ଓଡ଼ିଶା ଉପକୂଳ ପାଖରେ ରହିବ । ୯ରେ ଏହା ସ୍ଥଳଭାଗ ଦେଇ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଇବ । ଏହା ପ୍ରଭାବରେ ୨ରୁ ୧୦ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ । ଉପକୂଳରେ ୨ ଓ ୩ ତାରିଖରେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ହେବ । ୫ ଓ ୬ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ଘଡ଼ଘଡ଼ି ହେବାର ସମ୍ଭାବନା ଅଛି । ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ମୋଟ ୧୦୦ରୁ ୧୨୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଛତିଶଗଡ଼ରେ ମଧ୍ୟ ଭୀଷଣ ବର୍ଷା ସମ୍ଭାବନା ରହିଛି ।
ସେହିପରି ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହେବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ୧୦ ତାରିଖ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ବର୍ଷା ପରିମାଣ ୨୩୫ ମିମି ଥିବାବେଳେ ଏହାଠାରୁ ୫୦% ଅଧିକ ବର୍ଷା ହେବ ।
ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ ଅନୁସାରେ, ୩ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବ । ୨ରୁ ୫ ତାରିଖ ଯାଏ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି କହିଛି, ୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ ଓ ଢେଙ୍କାନାଳରେ ଭାରୀ ବର୍ଷା ସମ୍ଭାବନା ଅଛି । ୩ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ସୋନପୁରରେ ଅଧିକ ବର୍ଷା ହୋଇପାରେ । ୪ ତାରିଖରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଭାରୀ ବର୍ଷା ସମ୍ଭାବନା ଅଛି ।
ବର୍ଷାକୁ ନେଇ ଚାଷୀଙ୍କୁ ପରାମର୍ଶ ଦେଇ ଡ. ପଶୁପାଳକ କହିଛନ୍ତି, ଜମିରୁ ପାଣି ଛାଡ଼ିବା ପରେ ଧାନ ଫସଲରେ ୟୁରିଆ ସାର ପ୍ରୟୋଗ କରନ୍ତୁ । ଦ୍ୱିତୀୟ ଲଘୁଚାପ ପରେ ପ୍ରାକ୍ ରବି ଫସଲ ଆରମ୍ଭ କରନ୍ତୁ । ମାଣ୍ଡିଆ, ମୁଗ, ବିରି, ସୂର୍ଯ୍ୟମୁଖୀ, ଅଳସୀ, ସୋରିଷ ଓ ମିଠା ମକା ଲଗାନ୍ତୁ । ସେହିଭଳି ଅଣଜଳସେଚିତ ରବି ଫସଲକୁ ଆଗୁଆ କରି ପ୍ରାକ୍ ରବି ଫସଲ ସହ ମିଶାନ୍ତୁ । ରବି ପନିପରିବା ଲଗାଇବା ଆରମ୍ଭ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
