ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ୧୪ଟି ଜିଲାରେ ଘନ କୁହୁଡ଼ି ଆଶଙ୍କା, ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼। ଏଥିପାଇଁ ଓଡ଼ିଶା ଉପକୂଳବର୍ତ୍ତୀ ବିଭିନ୍ନ ଜିଲାଗୁଡିକ ସମେତ ସଂଲଗ୍ନ ଜିଲାଗୁଡ଼ିକ ପ୍ରଭାବିତ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଉଛି। ସେହିପରି ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ୧୪ଟି ଜିଲାରେ ଘନ କୁହୁଡ଼ି ଆଶଙ୍କା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ଏକ ଗୁରୁଚାପ-ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟକୁ ଜଳୀବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବା ବେଳେ ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲାଗୁଡ଼ିକରେ ଆହୁରି ୩ ଦିନ ଘନକୁହୁଡ଼ି ହେବା ପୂର୍ବାନୁମାନ ରହିଛି। ଘନକୁହୁଡ଼ି ଦୃଶ୍ୟମାନ ହେଉଥିବା ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ମିଟର ପର୍ଯ୍ୟନ୍ତ ରହିବା ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଇଛି।
ଗୁରୁବାର ରାତିରୁ ଶୁକ୍ରବାର ସକାଳ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ନୟାଗଡ଼ ଆଦି ଜିଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲାର ଜିଲାପାଳମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏସ୍ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
