ସିଏମସି ଛଟେଇ ଠିକା ଶ୍ରମିକଙ୍କୁ ପୁନଃ ନିଯୁକ୍ତି ପାଇଁ ଦାବି
କଟକ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ କଟକ ମହାନଗର ନିଗମ ପକ୍ଷରୁ ସିଏମସି ଅଧିନରେ କାର୍ଯ୍ୟ କରୁଥିବା ଛଟେଇ ଠିକା ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ ସଂଘର ସଭାପତି ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ସିଏମସି କମିସନରଙ୍କୁ ଏକ ୫ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ଠିକା କର୍ମଚାରୀମାନେ ଦୀର୍ଘ ୧୪ବର୍ଷରୁ ଉର୍ଦ୍ଧ୍ୱ ଧରି କାର୍ଯ୍ୟ କରିଆସୁଥିବା ବେଳେ ସେମାନଙ୍କୁ ସରକାରୀ ସୁବିଧା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ । ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ, କୌଣସି ଅନୁଷ୍ଠାନରେ ଠିକା ସଂସ୍ଥା ବଦଳାଗଲେ ମଧ୍ୟ ଠିକା କର୍ମର୍ଚାରୀଙ୍କୁ ବହିଷ୍କାର କରାଯାଇପାରିବ ନାହିଁ । ଏହାର ଖିଲାପ କରି, ସିଏମସି ସହର ମଧ୍ୟରେ ବିଦ୍ୟୁତ ଯୋଗାଣ ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ଉକ୍ତ କମ୍ପାନୀ ବେଆଇନ ଭାବେ ନିର୍ଦ୍ଦିଷ୍ଟ କିଛି କର୍ମଚାରୀଙ୍କୁ ବହଷ୍କାର କରିି ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରୁଛି । ଉକ୍ତ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହିତ ସେମାନଙ୍କର କଟାଯାଇଥିବା ଇପିଏଫ ଓ ଇଏସଆଇ ଟଙ୍କାର ହିସାବ ପ୍ରଦାନ କରାଯିବା, କାର୍ଯ୍ୟରତ କର୍ମଚାରୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା, ସୁରକ୍ଷା ସମ୍ବନ୍ଧୀୟ ଉପକରଣ ଯୋଗାଇବା ସହ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା ପାଇଁ ସିଏମସି ଠିକା ମଜଦୁର ସଂଘ ପକ୍ଷରୁ ଦାବି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥ, ସମ୍ପାଦକ ଭାଗୀରଥୀ ବେହେରା, ଉପସଭାପତି ଅଶୋକ ସ୍ୱାଇଁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଭୂୟାଁ, ସିଏମସି ଠିକା ମଜଦୁର ସଂଘର ଉପସଭାପତି ସଂଜୟ କୁମାର ଚୌଧୁରୀ, ସାଧାରଣ ସମ୍ପାଦକ ଦୋଳଗୋବିନ୍ଦ ବେହେରା, ସହ ସମ୍ପାଦକ ରାମଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ରାଜେନ୍ଦ୍ର ବେହେରା, ଆକୁଳି ବିଶ୍ୱାଳଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
