ଶୈଳବାଳା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ପାଇଁ ଦାବି
କଟକ : କଟକସ୍ଥିତ ପ୍ରସିଦ୍ଧ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ବିଭିନ୍ନ ମହଲରେ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବାରୁ କଟକ ମହାନଗର ନାଗରିକ ମହାସଭା ପକ୍ଷରୁ ଏଥି ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଏହି ମହାବିଦ୍ୟଳୟର ପରିସୀମାକୁ ସଙ୍କୁଚିତ କରାଯିବାକୁ ଏବେ ଉଦ୍ୟମ ଆରମ୍ଭ ହୋଇଯାଇଛି ବୋଲି ମହାସଭାର ସଭାପତି ଡ଼ାକ୍ତର ରବିରଞ୍ଜନ ସାହୁ ଦର୍ଶାଇଛନ୍ତି । ଏକ ପ୍ରେସ୍ ବିବୃତ୍ତିରେ ଡ଼ାକ୍ତର ସାହୁ ପ୍ରକାଶ କରିଛନ୍ତି ଯେ ୧୯୧୩ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ମହିଳା ମହାବିଦ୍ୟାଳୟ ପରିସରରେ ଥିବା ମଧୁ ସ୍ମୃତି କୋଠାକୁ ରାଜ୍ୟ ଓଡ଼ିଆ ଭଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ହସ୍ତାନ୍ତର ନିମନ୍ତେ ଏକ ସଂକଳ୍ପ ପତ୍ର ହୋଇଛି । ଉକ୍ତ କୋଠା ସହ ଏହାର ସମ୍ମୁଖରେ ଥିବା ଖୋଲା ସ୍ଥାନକୁ ମଧ୍ୟ ହସ୍ତାନ୍ତର ନିମନ୍ତେ କୁହାଯାଇଛି । ଏହା ବ୍ୟତୀତ, ମହାବିଦ୍ୟାଳୟର ଖେଳ ପଡ଼ିଆ ଓ ନୂତନ ଭାବେ ନିର୍ମିତ ଜି-ପ୍ଲସ ୪ କୋଠାକୁ ଚଣ୍ଡୀମନ୍ଦିରର ଉନ୍ନତୀକରଣ ପାଇଁ ହସ୍ତାନ୍ତର କରାଯିବାକୁ ଯୋଜନା ହୋଇଛି । ଏହାଦ୍ୱାରା ଏହି ଐତିହାସିକ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ପରିସୀମା ସଙ୍କୁଚିତ ହୋଇଯିବା ସହ ମହାବିଦ୍ୟାଳୟର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇଯିବ, କାଳବିଳମ୍ବ ନ କରି ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଡ଼ାକ୍ତର ସାହୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
