ଜୋର୍ ଧରିଲା ରସାଳପୁର ବ୍ଲକ ପ୍ରତିଷ୍ଠା ଦାବି; ‘ଉପକୂଳ ସୁରକ୍ଷା ମଞ୍ଚ’ର ଶ୍ୱେତପତ୍ର ଉନ୍ମୋଚିତ
ବାଲେଶ୍ୱର : ବାଲେଶ୍ୱର ଜିଲା ସଦର, ରେମୁଣା ଓ ବାହାନଗା ବ୍ଲକର ଉପାନ୍ତ ପ୍ରାୟ ୧୭ରୁ ୧୭ ଗୋଟି ପଞ୍ଚାୟତକୁ ନେଇ ଗଠିତ ‘ଉପକୂଳ ସୁରକ୍ଷା ମଞ୍ଚ’ ପକ୍ଷରୁ ଆଞ୍ଚଳିକ ବିକାଶ ଓ ନୂଆ ବ୍ଲକ ପ୍ରତିଷ୍ଠା ଦାବି ଅଭିଯାନ ଶୁଭାରମ୍ଭ ହୋଇଛି । କାବ୍ୟଶିଳ୍ପୀ ସର୍ବେଶ୍ୱର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଞ୍ଚୁଡ଼ି ସ୍ଥିତ ଲବଣ ସତ୍ୟାଗ୍ରହ ସ୍ମୃତିପୀଠର ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ୧୭ ଗୋଟି ପଞ୍ଚାୟତର ପ୍ରତିନିଧିମାନେ ମଞ୍ଚର ଲୋଗୋ, ଶ୍ୱେତପତ୍ର ଓ ବ୍ୟାନର ଉନ୍ମୋଚନ କରିଥିଲେ । ପରେ ଲବଣ ସତ୍ୟାଗ୍ରହ ସ୍ମୃତି ସଂଗ୍ରାହଳୟ ଗୃହରେ ମଞ୍ଚର ସୁଦୃଢ଼ ସଂଗଠନ ଓ ଆଗାମୀ କାର୍ଯ୍ୟଧାରା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ଅବସରପ୍ରାପ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ସତ୍ୟନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅୟୋଜିତ କାର୍ଯ୍ୟକ୍ରମରେ ଉପକୂଳ ସୁରକ୍ଷା ମଞ୍ଚ ପ୍ରତିଷ୍ଠାର ମୁଖ୍ୟ ଉଦ୍ୟୋକ୍ତା ଯୁବ ସଂଗଠକ ବଂଶୀଧର ଦଳେଇ ସଂଯୋଜନା କରିଥିଲେ । କବି ଶ୍ରୀଦେବ, ସମାଜସେବୀ ଅନିରୁଦ୍ଧ ଦାସ, ଶିବ ଜୀ, ସରୋଜ କୁମାର ଦାସ, ରାମନାରୟଣ ଶତପଥି, ଅଜୟ କୁମାର ବାରିକ, ବସନ୍ତ କୁମାର ଦାସ, ଜୟନ୍ତ କୁମାର ମଲ୍ଲିକ, କହ୍ନେଇ ପ୍ରଧାନ, ବିକାଶ ଦାସ, ଚନ୍ଦନ ମଲ୍ଲିକ, ଆଲୋକ ଜୀ, ପ୍ରଶାନ୍ତ ମଲିକ, ଅଭୟ ଦାସ, ଯୁଗୋଳ ମହଲ, ସଂଦୀପ କୁମାର ପଣ୍ଡା, ମଲିକ ରିଜୱାନ, ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଏଥିରେ ଯୋଗଦେଇ କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ବ୍ଲକ ଗଠନ ଅଭିଯାନର ସଫଳତା କାମନା କରିଥିଲେ । କେବଳ ବ୍ଲକ ପ୍ରତିଷ୍ଠା ଦାବି ନୁହେଁ ବରଂ ଜନ ସମସ୍ୟା ସମାଧାନ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ବକ୍ତାମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ତେବେ ଏହି ଅଭିଯାନରେ ଶ୍ରମ, ସମୟ ସାଙ୍ଗକୁ ସାଧ୍ୟମତେ ଆର୍ôଥକ ସହଯୋଗର ଆବଶ୍ୟକତାକୁ ଦୃଷ୍ଟି ଦେବାକୁ ସେମାନେ କହିଥିଲେ । ଏଥିସହିତ ଆଗାମୀ ଦିନରେ ପଞ୍ଚାୟତସ୍ତରୀୟ ବୈଠକ ଆୟୋଜନ ସହ ନୂତନ ବ୍ଲକ ପ୍ରତିଷ୍ଠା ଦାବି ଆଭିମୁଖ୍ୟ ସହ ସାଧାରଣ ଲୋକଙ୍କୁ ମଞ୍ଚ ସହ ଯୋଡ଼ିବା, ସ୍ଥାନୀୟ ସମସ୍ୟା ସମାଧାନ ସମ୍ପର୍କରେ ଆଲୋଚନା କରିବାକୁ ଆଜିର ଏହି ଆଲୋଚନାଚକ୍ରରେ ନିଷ୍ପତ୍ତି ନିଆଯାଇଥିଲା । ସମସ୍ତେ ଏକମନ ହୋଇ ଉପକୂଳ ସୁରକ୍ଷା ମଞ୍ଚର ସମୂହ ସ୍ୱାର୍ଥ ଭିତ୍ତିକ ଅଭିଯାନକୁ ଆଗେଇ ନେବାକୁ ଏହି ଅବସରରେ ଶପଥ ପାଠ କରାଯାଇଥିଲା । ସ୍ଥାନୀୟ ମହିଳା ନେତ୍ରୀ କବିତା ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମଞ୍ଚର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ୱାରା ସ୍ମୃତିପୀଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
