ବିଶ୍ୱର ସବୁଠୁ ପ୍ରଦୂଷିତ ସହର ଦିଲ୍ଲୀ, ଟପ-୧୦ରେ ଭାରତର ୩ ସହର
ନୂଆଦିଲ୍ଲୀ : ବିଶ୍ୱରେ ବାୟୁ ପ୍ରଦୂଷଣକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭାରତ ପାଇଁ ଚିନ୍ତା ବଢ଼ାଇଛି ଦିଲ୍ଲୀ। ବିଶ୍ବର ଶୀର୍ଷ ୧୦ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ସବୁଠୁ ଆଗରେ ରହିଛି। ଟପ୍ ୧୦ ଲିଷ୍ଟରେ ଭାରତର ୩ଟି ସହର ଦିଲ୍ଲୀ, କୋଲକାତା ମୁମ୍ବାଇ ସାମିଲ ହୋଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୫୫୬ ଥିବା ବେଳେ କୋଲକାତା ଏବଂ ମୁମ୍ବାଇର ଏକ୍ୟୁଆଇ ଯଥାକ୍ରମେ ୧୭୭ ଏବଂ ୧୬୯ ରହିଛି। ତାଲିକାରେ କୋଲକାତା ଚତୁର୍ଥ ଏବଂ ମୁମ୍ବାଇ ଷଷ୍ଠ ସ୍ଥାନରେ ଅଛି । ସବୁଠୁ ଖରାପ ଏକ୍ୟୁଆଇ ସୂଚକାଙ୍କ ଥିବା ସହର ମଧ୍ୟରେ ପାକିସ୍ତାନର ଲାହୋର ଏବଂ ଚୀନର ଚେଙ୍ଗଦୁ ସାମିଲ ହୋଇଛି । ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଏବଂ ସିଷ୍ଟମ ଅଫ ଏୟାର କ୍ବାଲିଟି ଓ୍ବେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(ସଫର) ଏହି ରିପୋର୍ଟ ପ୍ରକାଶ କରିଛି।
ପାଣିପାଗ ବିଭାଗ ଅନୁଯାୟୀ, ସକାଳୁଆ ସୂର୍ଯ୍ୟକିରଣ ଏବଂ ହାଲୁକା ବାୟୁ ନିଶ୍ଚିତ ଭାବରେ ଦିଲ୍ଲୀକୁ ବିଷାକ୍ତ ବାୟୁରୁ କିଛି ମାତ୍ରାରେ ଆରାମ ଦେଇଛି। ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ତଳକୁ ଖସି ଆସିଛି କିନ୍ତୁ ତଥାପି ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଖରାପ। ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଦିଲ୍ଲୀ-ଏନସିଆରର ବାୟୁରେ କୌଣସି ଉନ୍ନତି ହୋଇନାହିଁ। ଏକ ସପ୍ତାହ ପାଇଁ ସମସ୍ତ ସ୍କୁଲ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ସମସ୍ତ ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ କୁହାଯାଇଛି। ଏହା ବ୍ୟତୀତ ୧୭ ନଭେମ୍ବର ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଛି। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦିଲ୍ଲୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଆବଶ୍ୟକ ହୁଏ ତେବେ ଲକଡାଉନ୍ ଲାଗୁ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ। ସୂଚନା ଯେ, ଦିଲ୍ଲୀରେ ଏକ୍ୟୁଆଇ: ୫୫୬ ରହିଥିବା ବେଳେ ପାକିସ୍ତାନ ଲାହୋରରେ ଏକ୍ୟୁଆଇ: ୩୫୪, ସୋଫିୟା, ବୁଲଗାରିଆରେ ଏକ୍ୟୁଆଇ: ୧୭୮, କୋଲକାତାରେ ଏକ୍ୟୁଆଇ: ୧୭୭, ଜାଗ୍ରେବ, କ୍ରୋଏସିଆରେ ଏକ୍ୟୁଆଇ: ୧୭୩, ମୁମ୍ବାଇରେ ଏକ୍ୟୁଆଇ:୧୬୯, ବେଲଗ୍ରେଡ୍ ସର୍ବିୟାରେ ଏକ୍ୟୁଆଇ: ୧୬୫, ଚେଙ୍ଗଦୁ, ଚୀନରେ ଏକ୍ୟୁଆଇ: ୧୬୫, ସ୍କୋପଜେ, ମାସେଡୋନିଆରେ ଏକ୍ୟୁଆଇ: ୧୬୪, କ୍ରାକୋ, ପୋଲାଣ୍ଡରେ ଏକ୍ୟୁଆଇ: ୧୬୦ ରହିଛି ।
