ଯମୁନା ନଦୀ ଯୋଗୁ ଭାସୁଛି ଦିଲ୍ଲୀ : ରବିବାର ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ
- ଉଦ୍ଧାର ପାଇଁ ୧୨ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ
ନୂଆଦିଲ୍ଲୀ: ଯମୁନା ନଦୀ ଯୋଗୁ ଭାସୁଛି ଦିଲ୍ଲୀ। ବିଭିନ୍ନ ରାସ୍ତା ଉପରେ ନଈ ଭଳି ପାଣିର ସୁଅ ଛୁଟୁଛି। ନଦୀ ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍ ଏବଂ କଲେଜ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ବୈଠକ କରିବାପରେ ରାଜ୍ୟରେ ସମସ୍ତ ସ୍କୁଲ୍ ଏବଂ କଲେଜ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏମର୍ଜେନ୍ସି ସେବା ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ଘରୋଇ ଅଫିସଗୁଡ଼ିକ ୱାର୍କ ଫ୍ରମ ହୋମ୍ ଫର୍ମୁଲାରେ ଚାଲିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀରେ ବନ୍ୟା ସ୍ଥିତି ମୁକାବିଲା ପାଇଁ ୧୨ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ଶ୍ମଶାନ ବନ୍ଦ ହୋଇଯାଇଛି। ବିଭିନ୍ନ ମେଡିକାଲରେ ପାଣି ପଶିଯିବାରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଉତ୍ତର ଦିଲ୍ଲୀରେ ଏକ ସରକାରୀ ପରିଚାଳିତ ଟ୍ରମା ସେଣ୍ଟରରେ ପାଣି ପଶିଯିବାରୁ ୪୦ ରୋଗୀଙ୍କୁ ଏଠାରୁ ଏଲଏନଜେପି ହସ୍ପିଟାଲକୁ ସ୍ତାନାନ୍ତର କରାଯାଇଛି। ନଦୀ ଜଳ ପଶିଯିବାରୁ ପୋସ୍ ସିଭିଲ ଲାଇନ୍ସ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଦିଲ୍ଲୀ ବିଧାନସଭା ନିକଟରୁ ମାତ୍ର ୩୫୦ ମିଟର ଦୂରରେ ନଦୀ ଜଳ ପହଞ୍ଚି ସାରିଛି। ଏପରିକି ସୁପ୍ରିମ କୋର୍ଟ ନିକଟରେ ମଧ୍ୟ ପହଞ୍ଚିବାକୁ ଗଲାଣି ପାଣି। ବନ୍ୟାଜଳ ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଛି। ତଳିଆ ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକମାନଙ୍କୁ ଖାଲି କରାଯାଉଛି। ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବାପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀବାସୀଙ୍କ ସହଯୋଗ ଲୋଡ଼ିଛନ୍ତି।
ନଦୀ ଜଳସ୍ତର ଗତ ଗୁରୁବାର ସନ୍ଧ୍ୟା ୬ଟାରେ ୨୦୮.୬୬ ମିଟରରେ ପହଞ୍ଚିଥିଲା ଏବଂ ଏହା ୪୫ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୭୮ରେ ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ସର୍ବାଧିକ ୨୦୭.୪୯ ମିଟର ଥିଲା। ଏହାପରଠାରୁ ଯମୁନା ଜଳସ୍ତର କେବେ ବି ଏତେ ଅଧିକ ହୋଇନଥିଲା। ତେବେ ଶୁକ୍ରବାର ସକାଳ ସୁଦ୍ଧା ଯମୁନା ନଦୀ ଜଳସ୍ତର କମିବ ବୋଲି ସିଡବ୍ଲ୍ୟୁସି (କେନ୍ଦ୍ରୀୟ ଜଳ କମିସନ୍) ନିର୍ଦ୍ଦେଶକ ଶରଦ ଚନ୍ଦ୍ର କହିଛନ୍ତି। ହରିୟାଣାର ହଥନିକୁଣ୍ଡ ବ୍ୟାରେଜରେ ଜଳ ସ୍ତର ଆଜି ଅପରାହ୍ନରେ ୮୦ ହଜାର କ୍ୟୁସେକ୍କୁ କମିବାପରେ ଯମୁନା ଜଳସ୍ତର ସ୍ଥିର ରହିଛି ବୋଲି ସେ କହିଛନ୍ତି। ତେବେ ଦିଲ୍ଲୀରେ ଅତି ସାଂଘାତିକ ପାନୀୟ ଜଳ ସଙ୍କଟ ଦେଖାଦେଇପାରେ। ବନ୍ୟା ପାଇଁ ଦିଲ୍ଲୀରେ ୩ଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ୍ ବନ୍ଦ କରାଯାଇଛି। ସମସ୍ୟା ଛାଡ଼ୁନଥିବା ବେଳେ ଏହି ସମୟରେ ପୁଣି ଆଇଟିଓ ବ୍ୟାରେଜ୍ରେ ୫ଟି ଗେଟ୍ ଜାମ୍ ହୋଇଯାଇଛି। ଏହା ଅଧିକ ସମସ୍ୟା ସୃଷ୍ଟି କରିପାରେ। ଗ୍ୟାସ୍ କଟର ସାହାଜ୍ୟରେ ଏହି ଗେଟ୍ ଖୋଲିବାପାଇଁ ଉଦ୍ୟମ ଜାରି ରହିଛି।
