ଦିଲ୍ଲୀ କ୍ୟାବିନେଟ ସମ୍ପ୍ରସାରଣ! ଅତିଶୀଙ୍କୁ ଶିକ୍ଷା ଓ ସୌରଭ ଭରଦ୍ୱାଜଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାବିନେଟ ସମ୍ପ୍ରସାରଣ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟରେ ସାମିଲ ହେଲେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଅତିଶୀ ଓ ସୌରଭ ଭରଦ୍ୱାଜ । ଗୁରୁବାର ସନ୍ଧ୍ୟାରେ ରାଜ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଭୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅତିଶୀ ଓ ସୌରଭ ଭରଦ୍ୱାଜ ମନ୍ତ୍ରୀ ଭାବେ କେଜ୍ରିୱାଲ କ୍ୟାବିନେଟରେ ସାମିଲ ହେବା ପୂର୍ବରୁ ରାଜ କୁମାର ଆନନ୍ଦ ଏବଂ କୈଳାଶ ଗେହଲୋଟ୍ ମନୀଷ ସିସୋଦିଆଙ୍କ ଇସ୍ତଫା ପରେ କ୍ୟାବିନେଟରେ ଖାଲି ପଡ଼ିଥିବା ବିଭାଗ ସମ୍ଭାଳିଥିଲେ।
ଶପଥ ଗ୍ରହଣ ପରେ ହିଁ ଉଭୟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଅତିଶୀଙ୍କୁ ଶିକ୍ଷା ବିଭାଗ ଦିଆଯାଇଛି। ତାଙ୍କ ପୂର୍ବରୁ ମନୀଷ ସିସୋଦିଆଙ୍କ ପାଖରେ ଏହି ବିଭାଗ ଥିଲା। ଶିକ୍ଷା ସହ ଅତିଶୀଙ୍କୁ ପିଡବ୍ଲୁଡି, ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ବ ମଧ୍ୟ ଦିଆଯାଇଛି । ସୌରଭ ଭରଦ୍ୱାଜଙ୍କୁ ସ୍ୱାସ୍ଥ୍ୟ, ଜଳ ଏବଂ ଶିଳ୍ପ ଏବଂ ସହରାଞ୍ଚଳ ବିକାଶ ଦିଆଯାଇଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦୁର୍ନୀତି ଅଭିଯୋଗରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ଗ୍ରହଣ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁପାରିସ କ୍ରମେ ଅତିଶୀ ଓ ସୌରଭ ଭରଦ୍ୱାଜଙ୍କୁ ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଭାବେ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଥିଲେ ।
ଅତିଶୀ କାଲକାଜୀରୁ ବିଧାୟକ ଅଛନ୍ତି । ସେ ମନୀଷ ସିସୋଦିଆଙ୍କ ଶିକ୍ଷା ଟିମର ପ୍ରମୁଖ ସଦସ୍ୟ ରହିଛନ୍ତି। ଅତିଶୀ ପୂର୍ବ ଦିଲ୍ଲୀରୁ ୨୦୧୯ ଲୋକସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ । ତେବେ ସେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ଠାରୁ ପରାସ୍ତ ହୋଇଥିଲେ । ଅନ୍ୟପକ୍ଷରେ ଆପର ଜାତୀୟ ମୁଖପାତ୍ର ସୌରଭ ଭରଦ୍ୱାଜ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଇଛନ୍ତି । ଗ୍ରେଟର କ କୈଲାଶରୁ ବିଧାୟକ ଥିବା ସୌରଭ ଭରଦ୍ୱାଜ ଆପ୍ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ମନ୍ତ୍ରୀ ଥିଲେ।
